Categories: ଜାତୀୟ

କାନପୁର ହିଂସାର ତଦନ୍ତ କରିବ ଏସ୍‌ଆଇଟି: ଲାଗିବ ଅଭିଯୁକ୍ତଙ୍କ ପୋଷ୍ଟର

କାନପୁର,୬ା୬: କାନପୁର ହିଂସା ଘଟଣାର ମାଷ୍ଟରମାଇଣ୍ଡ ମୌଲାନା ମହମ୍ମଦ ଅଲ୍ଲୀ (ଏମ୍‌ଏମ୍‌ଏ) ଜୌହର ଫ୍ୟାନ୍ସ ଆସୋସିଏଶନର ମୁଖ୍ୟ ହୟାତ୍‌ ଜାଫର ହାସ୍‌ମୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ୧୪ ଦିନିଆ ରିମାଣ୍ଡରେ ନେଇଛି। ସୋମବାର ସୁଦ୍ଧା ହିଂସାକାଣ୍ଡରେ ସମ୍ପୃକ୍ତ ୨୯ଜଣଙ୍କୁ ପୋଲିସ ଗିରଫ କରିସାରିଛି।

ଏପରିକି ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରାଯାଇଥିବା ପୋଲିସ କମିଶନର ବିଜୟ ସିଂ ମିନା ସୂଚନା ଦେଇଛନ୍ତି। ଏସ୍‌ଆଇଟି ଦ୍ୱାରା ଗଠିତ ୪ଟି ଦଳ ମଧ୍ୟରୁ ଗୋଟିଏ ଟିମ୍‌ ପଥର ଫିଙ୍ଗିବା ଏବଂ ବୋମା ବିସ୍ଫୋରଣରେ ସରକାରୀ ସମ୍ପତ୍ତିର କ୍ଷୟକ୍ଷତିର ତଦନ୍ତ କରୁଥିବା ବେଳେ ଅନ୍ୟ ଦଳ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବ। ତୃତୀୟ ଦଳ ଦଙ୍ଗାକାରୀ କେଉଁ ପେଟ୍ରୋଲ ପମ୍ପରୁ ବୋତଲରେ ପେଟ୍ରୋଲ ଆଣିଥିଲେ ତାହାର ତଦନ୍ତ କରିବ। ଅନ୍ୟପକ୍ଷେ ଚତୁର୍ଥ ଦଳ ଏପରି ଲୋକଙ୍କୁ ଚିହ୍ନଟ କରିବେ ଯେଉଁମାନେ ଦଙ୍ଗା ପୂର୍ବରୁ ଏବଂ ପରେ ସୋସିଆଲ ମିଡିଆରେ ଉତ୍ତେଜନା ମୂଳକ ପୋଷ୍ଟ କରିଥିଲେ।

ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ସହ ସେମାନଙ୍କ ନେଟଓ୍ବାର୍କ ଠାବ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଢେଲାମାଡ଼ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପୋଷ୍ଟର ଲଗାଯିବ। ଅଧିକ ପ୍ରମାଣ ପାଇଁ ଅଭିଯୁକ୍ତଙ୍କ ମୋବାଇଲ ମଧ୍ୟ ଯାଞ୍ଚ କରାଯିବ। ଅନ୍ୟପକ୍ଷେ ଯାଞ୍ଚବେଳେ ପ୍ରମାଣ ନଷ୍ଟ, ଡିଭିଆର୍‌ ଫୁଟେଜ୍‌ ଡିଲିଟ୍‌ କରିବା ପାଇଁ ଅଭିଯୁକ୍ତମାନେ ଉଦ୍ୟମ କରୁଥିବା ଜଣାପଡ଼ିଛି। ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ସହ ମାଷ୍ଟରମାଇଣ୍ଡ ହୟାତ୍‌ ଜାଫର ହାସ୍‌ମୀଙ୍କ ଲିଙ୍କ ଥିବା ସନ୍ଦେହ କରାଯାଉଛି। ଏ ଦିଗରେ ମଧ୍ୟ ପୋଲିସ ତଦନ୍ତ ଜାରିଥିବା କହିଛି।

Share