୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ ଧରି ସମ୍ପର୍କରେ ଥିବା ଜଣେ ଯୁବତୀଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ପୋଲିସ ଓ କାର୍ଯ୍ୟପାଳକ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ମହିଳା ନିଜେ ଏହି ନିଷ୍ପତ୍ତି ସ୍ପଷ୍ଟ କରିଛନ୍ତି।

ସୂଚନା ଅନୁସାରେ, ପ୍ରାୟ ୩୨ ବର୍ଷୀୟା ଏହି ମହିଳା ସେପ୍ଟେମ୍ବର ୬ ତାରିଖରେ ନିଜ ବାପଘରୁ ହଠାତ୍‌ ଚାଲିଯାଇଥିଲେ। ପରିବାର ଲୋକେ ତାଙ୍କୁ ଖୋଜିବା ପରେ ପୋଲିସକୁ ଜଣାଇଥିଲେ। ତଦନ୍ତ ବେଳେ ମହିଳା ପନକି ଅଞ୍ଚଳରେ ଦିଲ୍ଲୀର ପ୍ରାୟ ୨୫ ବର୍ଷୀୟା ଜଣେ ଯୁବତୀଙ୍କ ସହ ରହୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା।

ସୂଚନା ମିଳିବା ପରେ ପୋଲିସ ଟିମ ପନକି ଅଞ୍ଚଳରୁ ମହିଳାଙ୍କୁ ଉଦ୍ଧାର କରିଥିଲା। ପଚରାଉଚରା ବେଳେ ମହିଳା କହିଥିଲେ ଯେ, ସେ ପ୍ରାୟ ଏକ ବର୍ଷ ଧରି ଉକ୍ତ ଯୁବତୀଙ୍କ ସହ ସମ୍ପର୍କରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା।
ମହିଳା କହିଥିଲେ ଯେ ସେ ନିଜ ଜୀବନ ସମ୍ପର୍କରେ ନିଜେ ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି। ସେ ସ୍ବାମୀଙ୍କ ଘରକୁ ଫେରିବାକୁ ମଧ୍ୟ ମନା କରିଥିଲେ ଏବଂ ବାପଘରକୁ ଯିବାକୁ ମଧ୍ୟ ଅସ୍ବୀକାର କରିଥିଲେ।

ପୋଲିସ ମହିଳାଙ୍କୁ କାର୍ଯ୍ୟପାଳକ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ମଧ୍ୟ ଉପସ୍ଥାପନ କରିଥିଲା। ସେଠାରେ ମହିଳା ନିଜ ନିଷ୍ପତ୍ତିକୁ ପୁଣିଥରେ ସ୍ପଷ୍ଟ କରିଥିଲେ। ସେ ନିଜ ଇଚ୍ଛା ଅନୁସାରେ ଜୀବନ ବିତାଇବାକୁ ସକ୍ଷମ ବୋଲି କହିଥିଲେ।
ସେ ନା ସ୍ବାମୀଙ୍କ ପାଖକୁ ଫେରିବେ, ନା ବାପଘରକୁ ଯିବେ ବୋଲି ସ୍ପଷ୍ଟ କରିଥିଲେ। ଯୁବତୀଙ୍କ ସହ ରହିବାକୁ ନିଜ ଇଚ୍ଛା ଥିବା କଥା ମଧ୍ୟ ଦୋହରାଇଥିଲେ। ପୋଲିସ ଅନୁସାରେ, ପଚରାଉଚରା ସମୟରେ ମହିଳାଙ୍କ ଉପରେ କୌଣସି ଜବରଦସ୍ତି କିମ୍ବା ଚାପ ଥିବା ଅଭିଯୋଗ ସାମ୍ନାକୁ ଆସିନଥିଲା।
ପୋଲିସର ଆବଶ୍ୟକୀୟ ପ୍ରକ୍ରିୟା ଶେଷ ହେବା ପରେ ଉଭୟ ମହିଳା ଏକାଠି ଥାନାରୁ ବାହାରିଥିଲେ। ପରେ ଗୁରୁବାର ଦୁହେଁ ବସ୍‌ ଯୋଗେ ଦିଲ୍ଲୀ ଚାଲିଯାଇଥିବା ଜଣାପଡ଼ିଛି।
ଅନ୍ୟପଟେ ମହିଳାଙ୍କ ନିଷ୍ପତ୍ତିରେ ପରିବାର ଲୋକେ ନିରାଶ ହୋଇ ଫେରିଥିଲେ। ପୋଲଇସ କହିଛି ଯେ ମହିଳା ନିଜ ସ୍ବଜନଙ୍କ ସହ ଯିବାକୁ ସ୍ପଷ୍ଟ ଭାବେ ମନା କରିଥିଲେ ଏବଂ ଯୁବତୀଙ୍କ ସହ ରହିବାକୁ ନିଜ ଇଚ୍ଛା ପ୍ରକାଶ କରିଥିଲେ। ତେଣୁ ତାଙ୍କ ବୟାନ ଓ ଉପଲବ୍ଧ ତଥ୍ୟ ଆଧାରରେ ପୁଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କରିଥିଲା।

 

Dharitri – Odisha’s No.1 Odia Daily

Share