ଚନ୍ଦ୍ରୟାନ-୩ ଅଭିଯାନରେ ସାମିଲ ଥିଲେ କନିକା ପୁଅ ଦେବଦତ୍ତ

ରାଜକନିକା,୨୬ା୮(ସଞ୍ଜୟ କୁମାର ଦାଶ): ଚନ୍ଦ୍ରୟାନ-୩ ସଫଳତାରେ ସାରା ଦେଶ ଉଲ୍ଲାସ ପାଳୁଛି। ସେହି ସମୟରେ ଏହି ଅଭିଯାନରେ ସାମିଲ ଥିବା ଓଡ଼ିଆ ପୁଅମାନଙ୍କର ଜ୍ଞାନକୌଶଳକୁ ନେଇ ଗର୍ବ କରୁଛି ଓଡ଼ିଶା। ଏହି ପ୍ରରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲା ରାଜକନିକା ଗିରିଆ ଗାଁର ଦେବଦତ୍ତ ମିଶ୍ର ଇସ୍ରୋରେ ଜଣେ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟରତ। ଚନ୍ଦ୍ରୟାନ-୩ରେ ସାମିଲ ଥିବା ନେଇ ସମଗ୍ର ଜିଲାକୁ ଗୌରବାନ୍ବିତ କରିଛନ୍ତି। ପୁଅର ସଫଳତା କଥା ଶୁଣି ଶଯ୍ୟାଶାୟୀ ଥିବା ମା’ ବାସନ୍ତୀ ମିଶ୍ର ଉଠି ବସିଛନ୍ତି ନିଜ ରୋଗ ଶଯ୍ୟାରୁ। ଉଲ୍ଲସିତ ହେବା ସହ ଘରେ ଥିବା ପୁଅର ଫଟୋକୁ ଧରି କେତେବେଳେ ପୋଛି ପକାଉଥିଲେ ତ କେତେବେଳେ ପାକୁଆ ଓଠରେ ଗେଲ କରି ପକାଉଥିବା ଦେଖିବାକୁ ମିଳିଛି। ପିଲାମାନଙ୍କର ସଫଳତା ଯେତେବେଳେ ମାବାପାଙ୍କ ପାଖେ ପହଞ୍ଚେ, ଦୁନିଆର ସବୁ ସୁଖ ଯେମିତି ତୁଚ୍ଛ ପରି ଲାଗେ। ତାଙ୍କର ମା’ କୋଳକୁ ସାର୍ଥକ କରିଥିବା ପରି ମନେ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଗାଁରେ ବାଣ ରୋଶଣି କରି ଗ୍ରାମବାସୀ ମିଠା ବାଣ୍ଟି ଖୁସି ମନେଇଥିବା ଦେଖିବାକୁ ମିଳିଥିଲା। ପିତା ସ୍ବର୍ଗତ ଭାଗୀରଥି ଓ ମାତା ବାସନ୍ତୀଙ୍କ ପୁଅ ଦେବଦତ୍ତ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ। ମାଟ୍ରିକ ପରୀକ୍ଷା ସମୟରେ ହିଁ ବାପା ଭାଗୀରଥିଙ୍କର ଦେହାନ୍ତରେ ସେ ଯଦିଓ ଭାଙ୍ଗି ପଡିଥିଲେ, କିନ୍ତୁ ଦୃଢ ମନୋବଳ, ପ୍ରବଳ ଇଚ୍ଛାଶକ୍ତି ସାଙ୍ଗକୁ ନିଜର ଅଧ୍ୟବସାୟ ବଳରେ, ଅଭାବ ଅନଟନରେ ଥାଇ ମଧ୍ୟ ସେ ସମୟରେ ମାଟ୍ରିକ୍‌ ପରୀକ୍ଷାରେ ବ୍ଲକ ତଥା ଜିଲା ସ୍ତରରେ ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ତାଙ୍କ ବଡ ଭାଇ ଅକ୍ଷୟ କହିଛନ୍ତି। ଚନ୍ଦ୍ରୟାନ-୩ର ସଫଳତାରେ ତାଙ୍କର ଏହି ଅଭିଯାନରେ ଥିବା ପ୍ରଚ୍ଛଦପଟ୍ଟର ଭୂମିକାକୁ ନେଇ ଗ୍ରାମବାସୀ ଖୁସିରେ ବିଭୋର ହୋଇପଡିଥିବା ଦେଖିବାକୁ ମିଳିଛି। ଯଦିଓ ସେ ଏବେ ଗବେଷଣାରତ ଅଛନ୍ତି କିନ୍ତୁ ଗଁା ମାଟି ତାଙ୍କୁ ଟିକେ ପାଖରୁ ଦେଖିବାକୁ ଚାତକ ପରି ଚାହିଁଥିବା କୁହନ୍ତି ଗ୍ରାମବାସୀ।