ବଢୁଛି କଙ୍ଗାରୁକୋର୍ଟ, ହଇରାଣ ହେଉଛନ୍ତି ଅସହାୟ ପରିବାର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ): ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହେଇଯାଏ। ତା’ହେଲେ ସଙ୍ଗେ ସଙ୍ଗେ ଗ୍ରାମ ସଭା ବସେ। ତା’ପରେ ଆରମ୍ଭ ହୁଏ ନିର୍ଯାତନା। ରମ୍ଭା ଓ ଗଞ୍ଜାମ ଥାନା ଅଞ୍ଚଳରେ ଏବେ କଙ୍ଗାରୁ କୋର୍ଟ ବସୁଛି। ପୋଲିସ ଅଛି, କୋର୍ଟ ଅଛି, ପ୍ରଶାସନ ଅଛି, ହେଲେ ନ୍ୟାୟ ନାହିଁ। ଏଠି ନ୍ୟାୟ ଦେଉଛନ୍ତି ଗାଁର ତଥାକଥିତ ଭଦ୍ର ବ୍ୟକ୍ତି ତଥା ଗ୍ରାମ କମିଟି ସଭାପତି। ସେ ଜମି ବିବାଦ ହେଉ କିମା ପାରିବାରିକ କଳହ, ପ୍ରେମ ବ୍ୟାପାର ହେଲେ ଲୋକଙ୍କୁ ବସାଇ ଦଣ୍ଡ ଦିଆଯାଉଛି, ନିର୍ଯାତନା ଦିଆଯାଉଛି, ବାସନ୍ଦ କରାଯାଉଛି।
ସବୁଠାରୁ ଲଜ୍ଜାର କଥା ହେଉଛି ବାସନ୍ଦ ପ୍ରଥା। ଗଞ୍ଜାମ ପୋଲିସ ଓ ତହସିଲ ପ୍ରଶାସନ ବିଭିନ୍ନ ପଞ୍ଚାୟତରେ ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଇ ଗାଁରୁ ବାହାର କରି ଦିଆଯାଉଛି। କାହା ଦୋକାନରୁ ସଉଦା ଦିଆ ଯାଉନି, କାହା ସହ କଥା ହେଲେ ଜରିମାନା, ନଳକୂପରୁ ପାଣି ନେବା ମନା, ମଶାଣିକୁ ବି ଯିବା ମନା। ମଣିଷକୁ ଜିଅନ୍ତା ମରି ଯିବାକୁ ବାଧ୍ୟ କରାଯାଉଛି।
ଏନେଇ ମାନବିକ ଅଧିକାର ଆୟୋଗ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ – ବାସନ୍ଦ ପ୍ରଥା ଅମାନବିକ, ଏହାକୁ ତୁରନ୍ତ ବନ୍ଦ କର, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ। ହେଲେ ଆୟୋଗଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଗଞ୍ଜାମ ପ୍ରଶାସନର ନିଦ ଭାଙ୍ଗୁନାହିଁ। ଆୟୋଗଙ୍କ ଚିଠି ଫାଇଲ ତଳେ ଗଡୁଛି। ପ୍ରଶାସନ ଜାଣିଶୁଣି ଅଣଦେଖା କରୁଛି, କାରଣ ଏହି କଙ୍ଗାରୁ କୋର୍ଟ ପଛରେ ଅଛି ରାଜନୈତିକ ପ୍ରଶୟ।

ଅଭିଯୋଗ ଅନୁଯାୟୀ, ସଂଖ୍ୟା ଗରିଷ୍ଠ ଗୋଷ୍ଠୀ ନିଜ ପ୍ରଭାବ ଖଟାଇ ସଂଖ୍ୟା ଲଘୁ ଗୋଷ୍ଠୀର ଲୋକଙ୍କୁ ଗାଁର ବିଭିନ୍ନ ପ୍ରକାର ଶୁଭ କାର୍ଯ୍ୟରୁ ବାସନ୍ଦ କରୁଛନ୍ତି। ଚାନ୍ଦା ନେଉ ନାହାନ୍ତି, ବୈବାହିକ ଜୀବନ ଭଳି ପବିତ୍ର ସମ୍ପର୍କରେ ମଧ୍ୟ ବାଧା ସୃଷ୍ଟି କରୁଛନ୍ତି। ଏପରିକି ଗାଁର ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ତାଲା ପକାଇ ପୂଜା ପାଠରୁ ବଞ୍ଚିତ କରୁଛନ୍ତି। ମଣିଷ ମରିଗଲେ ମଶାଣି ମନା, ବଞ୍ଚିଥିଲେ ମନ୍ଦିର ମନା, ଏଠି ଧର୍ମ ନାଁରେ ଚାଲିଛି ଅଧର୍ମ।
ପ୍ରଶ୍ନ ଉଠୁଛି, ଯଦି ମାନବିକ ଅଧିକାର ଆୟୋଗଙ୍କ ନିର୍ଦ୍ଦେଶକୁ ପ୍ରଶାସନ ମାନୁନାହିଁ, ତେବେ ସାଧାରଣ ଲୋକ ଯିବେ କେଉଁଠି? ପୋଲିସ କାହିଁକି ଚୁପ୍‌? ପ୍ରଶାସନ କାହିଁକି ଚୁପ୍‌? ଏହି ବାସନ୍ଦ ପ୍ରଥା ପଛରେ କେତେ ଟଙ୍କାର ଜରିମାନା ବାଣିଜ୍ୟ ଚାଲିଛି ତା’ର ତଦନ୍ତ କିଏ କରିବ?। ତୁରନ୍ତ ମାନବିକ ଅଧିକାର ଆୟୋଗଙ୍କ ନିର୍ଦ୍ଦେଶ ଲାଗୁ କରି କଙ୍ଗାରୁ କୋର୍ଟ ଚଳାଉଥିବା ଅସାମାଜିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ପରିସ୍ଥିତି ଆହୁରି ଭୟାବହ ହେବ। ଜିଲା ପ୍ରଶାସନ ଦୃଷ୍ଟି ଆକର୍ଷଣ ପାଇଁ ଦାବି ହୋଇଛି।

Dharitri – Odisha’s No.1 Odia Daily

Share