Categories: ଜାତୀୟ

ଜିତିବେ କଙ୍ଗନା!

ମଣ୍ଡି,୧।୪: ଭାରତୀୟ ଜନତା ପାର୍ଟି ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଇଦାନକୁ ଓହ୍ଲାଇଛି। ଏହା ସହ କଙ୍ଗନାଙ୍କ ରାଜନୈତିକ ଇନିଂସ ଆରମ୍ଭ ହୋଇଛି। ଗତ ବର୍ଷ କୁଲୁରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଙ୍ଗନାଙ୍କୁ ଭେଟିଥିଲେ। ଏହି ବୈଠକ ପରେ କଙ୍ଗନାଙ୍କ ପିତା ଅମରଦୀପ ରାନାୱତ କହଥିଲେ ଯେ କଙ୍ଗନା ନିର୍ବାଚନରେ ଭାଜପା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ତାଙ୍କୁ ମଣ୍ଡିରୁ ପ୍ରାର୍ଥୀ କରିବାକୁ ଭାଜପା ନିକଟରେ ଘୋଷଣା କରିଛି। ମଣ୍ଡି ଲୋକ ସଭା ଆସନରେ ରାଜପୁତ ଭୋଟରଙ୍କ ସଂଖ୍ୟା ସର୍ବାଧିକ। ଏହି ଆସନରେ ରାଜପୁତ ଏବଂ ବ୍ରାହ୍ମଣ ନେତାମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। କଙ୍ଗନା ରାନାୱତ ମଧ୍ୟ ରାଜପୁତ ସମ୍ପ୍ରଦାୟରୁ ଆସିଛନ୍ତି। ଜାତି ସମୀକରଣର ସମାଧାନ ପାଇଁ ଭାଜପା କଙ୍ଗନାକୁ ପ୍ରାର୍ଥୀ କରିଛି।

ଏପର୍ଯ୍ୟନ୍ତ କଂଗ୍ରେସ ୧୧ଥର ଏହି ଆସନ ଜିତିଥିବାବେଳେ ୫ଥର ଏହି ଆସନ ଭାଜପା ଖାତାକୁ ଯାଇଛି। ତେବେ ଏଥର ହିମାଚଳ ପ୍ରଦେଶର ୪ଟି ଲୋକ ସଭା ଆସନରେ ଭାଜପା ଜିତିବାର ସମ୍ଭାବନା ରହିଛି। ଆଜ ତକର ମୁଡ ଅଫ ଦି ନେସନ ସର୍ଭେ ଅନୁଯାୟୀ, ହିମାଚଳର ସମସ୍ତ ୪ଟି ସିଟ ଭାଜପା ହାସଲ କରିପାରେ।
ଗତ ଲୋକ ସଭା ନିର୍ବାଚନରେ ଭାଜପାର ରାମ ସ୍ବରୂପ ଶର୍ମା ମଣ୍ଡି ଆସନରୁ ଜିତିଥିଲେ। ଏହି ନିର୍ବାଚନରେ ରାମ ସ୍ବରୂପ ଶର୍ମା ୩୬୨୮୨୪ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରତୀଭା ସିଂ ୩୨୨୯୬୮ ଭୋଟ ପାଇଥିଲେ। ପ୍ରକାଶ ଥାଉକି, ୨୦୨୧ରେ ମଣ୍ଡି ଆସନରେ ଉପ-ନିର୍ବାଚନରେ ଜିତିବା ସହିତ ପ୍ରତୀଭା ସିଂ ଏମପି ହୋଇଥିଲେ।
ପ୍ରତୀଭା ସିଂ ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ସପ୍ତମ ପର୍ଯ୍ୟାୟ ପାଇଁ ମତଦାନ ଜୁନ ୧ରେ ହିମାଚଳ ପ୍ରଦେଶର ମଣ୍ଡି, ହମିରପୁର, କାଙ୍ଗଡା ଏବଂ ଶିମଲା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେବ। ଜୁନ ୪ରେ ନିର୍ବାଚନ ଫଳାଫଳ ଆସିବ।

Share