ବାୟୁସେନାରେ ଯୋଗଦେବେ କଙ୍ଗନା

କଙ୍ଗନା ଖୁବ୍‌ ଶୀଘ୍ର ଭାରତୀୟ ବାୟୁସେନା (ଇଣ୍ଡିଆନ୍‌ ଏୟାରଫୋର୍ସ)ରେ ଯୋଗ ଦେବାକୁ ଯାଉଛନ୍ତି। ପୁଣି ଜଣେ ଉପରିସ୍ଥ ଅଫିସର ଭାବରେ। ଏକଥା ଜାଣିବା ପରେ ଅନେକେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସ୍ବାଭାବିକ। ଏମିତି କ’ଣ ହେଲା ଯେ ଅଭିନୟକୁ ଗୁଡ୍‌ବାୟ କରି କଙ୍ଗନା ରାଣାଓ୍ବତ ବାୟୁସେନାରେ ଯୋଗଦେଇ ଦେଶର ସେବା କରିବାକୁ ଆଗଭର ହୋଇଛନ୍ତି। କଥାଟି ନିଶ୍ଚୟ ସତ, ହେଲେ ଏହା ତାଙ୍କର ରିୟଲ ନୁହେଁ, ରିଲ୍‌ ଲାଇଫରେ ଘଟିବାକୁ ଯାଉଛି। ଅସଲ କଥା ହେଲା ଭାରତୀୟ ବାୟୁସେନାରେ ଘଟିଥିବା ଘଟଣାବଳୀକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ହିନ୍ଦୀ ସିନେମା ‘ତେଜସ୍‌’। ଏଥିରେ କଙ୍ଗନା ଜଣେ ଏୟାରଫୋର୍ସ ଅଫିସର ଭୂମିକାରେ ଅଭିନୟ କରିବେ। ଏହାବ୍ୟତୀତ ତାଙ୍କ ଅଭିନୀତ ‘ଧକଡ’ ଚଳିତବର୍ଷ ଅକ୍ଟୋବରରେ ରିଲିଜ ହେବ। ନାରୀ ନିର୍ଯାତନା ଏବଂ ଶିଶୁ ଚୋରାଚାଲାଣ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ସିନେମାରେ ନାୟକ ସାଜିଛନ୍ତି ଅର୍ଜୁନ ରାମ୍‌ପାଲ।

Share