ପାର୍ଲାମେଣ୍ଟରେ ଶୁଟିଂ ପାଇଁ ଅନୁମତି ମାଗିଲେ କଙ୍ଗନା

ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ର ଶୁଟିଂ ପାର୍ଲାମେଣ୍ଟ ପରିସରରେ କରିବା ଲାଗି ଲୋକ ସଭା ସଚିବାଳୟର ଅନୁମତି ଲୋଡ଼ିଛନ୍ତି। ତାଙ୍କ ପତ୍ର ବିଚାରାଧୀନ ରହିଛି। ତେବେ ପାର୍ଲାମେଣ୍ଟ ଭିତରେ ଫିଲ୍ମ ଶୁଟିଂକୁ ଅନୁମତି ମିଳି ନ ପାରେ ବୋଲି ଏକ ସୂତ୍ରରୁ କୁହାଯାଇଛି॥ ସାଧାରଣତଃ ପାର୍ଲାମେଣ୍ଟ ପରିସରରେ ଘରୋଇ ସଂସ୍ଥାକୁ ଶୁଟିଂ କିମ୍ବା ଭିଡିଓଗ୍ରାଫି ପାଇଁ ଅନୁମତି ଦିଆଯାଇ ନ ଥାଏ। ଯଦି ଶୁଟିଂ କୌଣସି ସରକାରୀ କାର୍ଯ୍ୟ ପାଇଁ ହୋଇଥାଏ, ତେବେ ଅଲଗା କଥା। ମୁଖ୍ୟତଃ ସରକାରୀ ପ୍ରସାରଣ ସଂସ୍ଥା ଦୂରଦର୍ଶନ ଏବଂ ସଂସଦ ଟିଭିକୁ ପାର୍ଲାମେଣ୍ଟ ଭିତରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଘଟଣାର ଶୁଟିଂ ପାଇଁ ଅନୁମତି ମିଳିଥାଏ। ପୂର୍ବରୁ କୌଣସି ଘରୋଇ ସଂସ୍ଥାକୁ ଘରୋଇ କାର୍ଯ୍ୟ ପାଇଁ ଅନୁମତି ମିଳିଥିବାର ନଜିର ନାହିଁ। କଙ୍ଗନାଙ୍କ ଦ୍ୱାରା ଲିଖିତ ନିର୍ଦ୍ଦେଶିତ ତଥା ପ୍ରଯୋଜିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ର ଶୁଟିଂ ଜୁନ୍‌ରୁ ଆରମ୍ଭ ହୋଇଛି। ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ନେଇଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ୧୯୭୫ ଜୁନ୍‌ ୨୫ରେ ଦେଶରେ ଜରୁରୀ ପରିସ୍ଥିତି ଜାରି କରିଥିଲେ।

Share