ଅଭିନୟ ଛାଡ଼ି ରାଜନୀତି ଆଡ଼କୁ ମନ ବଳାଇଲେଣି କଙ୍ଗନା! ଭବିଷ୍ୟତ ଯୋଜନା କିଛି ଏଭଳି…

ବମ୍ବେ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ ‘ଥଲାଇଭି’ରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ତେବେ ଖାଲି ପରଦାରେ ନା ବାସ୍ତବ ଜୀବନରେ ସେ ରାଜନୀତିକୁ ଓହ୍ଲାଇବେ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଜବାବରେ ହଁ କହିଛନ୍ତି କଙ୍ଗନା।

ଦିଲ୍ଲୀରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାଜନୀତିକୁ ଆସିବାକୁ ନେଇ ତାଙ୍କର ଇଚ୍ଛା ବିଷୟରେ କଙ୍ଗନାଙ୍କୁ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ମୁଁ ଜଣେ ରାଷ୍ଟ୍ରବାଦୀ। ଦେଶ ସହ ଜଡ଼ିତ ପ୍ରସଙ୍ଗରେ ସବୁବେଳେ ନିଜ ପକ୍ଷ ରଖି ଆସିଛି। ଏଥିପାଇଁ ମୁଁ ରାଜନୈତିକ ପ୍ରସଙ୍ଗରେ କହୁଛି ବୋଲି ଲୋକେ ଭାବିଥାନ୍ତି। ମୁଁ ରାଜନେତା ନୁହେଁ। ଜଣେ ଦାୟିତ୍ୱବାନ ନାଗରିକ ଏବଂ ସେଲିବ୍ରିଟି ଭାବେ ନିଜ କଥା ହୋଇଥାଏ। ମୁଁ ସର୍ବଦା ଦେଶବାସୀ ଏବଂ ଦେଶର ଅଧିକାର ବିଷୟରେ କଥା ହୋଇଥାଏ। ଆଗାମୀ ଦିନରେ ମୁଁ ରାଜନେତା ହେବି କି ନାହିଁ ତାହା ମୋ ହାତରେ ନାହିଁ। ଆପଣମାନଙ୍କ ସହଯୋଗ ବିନା ପଞ୍ଚାୟତ ନିର୍ବାଚନ ଜିତିପାରିବି ନାହିଁ। ଯଦି ରାଜନୀତି କ୍ଷେତ୍ରକୁ ଆସିବି, ଏଥିପାଇଁ ଆସିବି ଯେ ମୋତେ ଲୋକମାନେ ଭଲ ପାଇଥାନ୍ତି, ଅଥବା ମୋ ପାଖରେ କ୍ଷମତା ରହିଛି। ଏବେ ମୁଁ ଅଭିନେତ୍ରୀ ଭାବେ ଠିକ୍‌ ଅଛି। ଏହା ମୋତେ ଖୁସି ଦେଉଛି। ଭବିଷ୍ୟତରେ ଲୋକମାନେ ମୋତେ ବାଛିଲେ, ନିଶ୍ଚିତ ଭାବେ ରାଜନୀତିକୁ ଓହ୍ଲାଇବି ବୋଲି କଙ୍ଗନା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ କଙ୍ଗନା ଜୟଲଳିତାଙ୍କ ଚରିତ୍ରରେ ଅଭିନୟ କରିବାର ଅନୁଭବ ବିଷୟରେ ମଧ୍ୟ କହିଛନ୍ତି। ଫିଲ୍ମ କରିବା ପରେ ରାଜନୀତି ବହୁତ କଠିନ। ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଜୁଆଖେଳ ସହ ଏହା ସମାନ। ଏଥିରେ ତୁମ ବନ୍ଧୁ ଶତ୍ରୁ ପାଲଟିଯାଇଥାନ୍ତି, ଜୀବନ ପ୍ରତି ମଧ୍ୟ ବିପଦ ଥିବା ସେ କହିଛନ୍ତି।

Share