ବିଧାନସଭାରେ ଜୟଲଳିଥାଙ୍କର ଚିରି ଦିଆଯାଇଥିଲା ଶାଢ଼ି

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କର ଆମାଗୀ ଫିଲ୍ମ ‘ଥଲାଇଭି’କୁ ନେଇ ବିଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ୨ ଦିନ ପୂର୍ବେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା। ଦର୍ଶକ ଏହାକୁ ବହୁତ ପସନ୍ଦ ମଧ୍ୟ କରିଥିଲେ। ଏହା ପରଠାରୁ ଏବେ କେବଳ ସମସ୍ତଙ୍କ ମୁହଁରେ କଙ୍ଗନାଙ୍କ ଡାଏଲଗ୍‌ ଶୁଣିବାକୁ ମିଳୁଛି।
ଫିଲ୍ମ ‘ଥଲାଇଭି’ ହେଉଛି ସୁନ୍ଦରୀ ଅଭିନେତ୍ରୀ ତଥା ତାମିଲନାଡୁର ପୂର୍ବତନ ତଥା ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନ ଉପରେ ଆଧାରିତ। ‘ଥଲାଇଭି’ ରେ ଜୟଲଳିଥାଙ୍କ ଉପରେ ଆକ୍ରମଣ କରାଯାଇଥିବାର ଏକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।
ଏହି ଆକ୍ରମଣ ୩୨ ବର୍ଷ ପୂର୍ବେ ଅର୍ଥାତ୍‌ ୨୫ ମାର୍ଚ୍ଚ ୧୯୮୯ରେ ତାମିଲନାଡୁ ବିଧାନସଭାରେ କରାଯାଇଥିଲା। ସେହି ସମୟରେ କରୁଣା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିଲେ। ଏଥିସହ ଅର୍ଥମନ୍ତ୍ରୀ ମଧ୍ୟ। ସେ ତାଙ୍କର ଭାଷଣ ଆରମ୍ଭ କରିବା ମାତ୍ରେ ଜୟଲଳିଥାଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ଡିଏମ୍‌କେ ବିଧାୟକମାନେ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ଶାଢ଼ି ମଧ୍ୟ ଚିରି ଦେଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହିପରି ଭାବେ ଜୟଲଳିଥା ବିଧାନସଭାରୁ ବାହାରକୁ ବାହାରିଥିଲେ। ଏହି ଆକ୍ରମଣକୁ ସବୁଆଡେ ଦୃଢ଼ ନିନ୍ଦା କରାଯାଇଥିଲା। ଏହି ଦୃଶ୍ୟକୁ ଫିଲ୍ମରେ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି। ଫିଲ୍ମର ଏହି ଦୃଶ୍ୟ ୩୨ ବର୍ଷ ପୂର୍ବର ଉକ୍ତ ଘଟଣାକୁ ପୁଣିଥରେ ମନେ ପକାଇ ଦେଇଛି। ଫିଲ୍ମ ‘ଥଲାଇଭି’ ସ୍ବର୍ଗତ ଜୟଲଳିଥାଙ୍କ ପ୍ରତ୍ୟେକ ଯନ୍ତ୍ରଣା, ସାହସ, ସଂଘର୍ଷ, ଗର୍ବ ଏବଂ ଐତିହାସିକ ବିଜୟର ସାକ୍ଷୀ, ଯାହାକୁ ଅପ୍ରେଲ ୨୩ରେ ଲୋକମାନେ ଦେଖିବାକୁ ପାଇବେ। ଏହି ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମଲୟାଲମ ଭାଷାରେ ରିଲିଜ୍‌ ହେବ।

Share