ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଭେଟିଲେ କଙ୍ଗନା: କହିଲେ ‘ହମାସ ହେଉଛି ଆଧୁନିକ ରାବଣ’

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଡିଭା କଙ୍ଗନା ରାଣାଓ୍ବତ ବୁଧବାର ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନଙ୍କୁ ଭେଟି ହମାସ ସହ ଲଢ଼େଇରେ ଇସ୍ରାଏଲର ସମର୍ଥନ କରିଛନ୍ତି। ଆତଙ୍କବାଦ ବିରୋଧରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ବିଜେତା ହେବ ବୋଲି ସେ କହିଛନ୍ତି। ତେବେ ‘ଏକ୍ସ(ପୂର୍ବରୁ ଟୁଇଟର)’ରେ କଙ୍ଗନା ଉଭୟଙ୍କ ଭେଟର ଫଟୋ ଏବଂ ଭିଡିଓ ପୋଷ୍ଟ କରି ଏନେଇ ଜଣାଇଛନ୍ତି।

କଙ୍ଗନା କହିଛନ୍ତି, ‘ଏବେ ସମଗ୍ର ବିଶ୍ୱ ବିଶେଷକରି ଇସ୍ରାଏଲ ଏବଂ ଭାରତ ଆତଙ୍କବାଦ ବିରୋଧରେ ନିଜର ଯୁଦ୍ଧ ଲଢ଼ୁଛନ୍ତି। କାଲି ଯେତେବେଳେ ମୁଁ ରାବଣ ଦହନ ଲାଗି ଦିଲ୍ଲୀ ଯାଇଥିଲି, ସେତେବେଳେ ମୋତେ ଇସ୍ରାଏଲ ଦୂତାବାସ ଯାଇ ରାଷ୍ଟ୍ରଦୂତଙ୍କୁ ଭେଟିବା ଉଚିତ ବୋଲି ଲାଗିଥିଲା, ଯିଏ କି ଆଜିର ଆଧୁନିକ ରାବଣ ଏବଂ ହମାସ ଭଳି ଆତଙ୍କବାଦୀମାନଙ୍କୁ ହରାଇବାରେ ଲାଗିଛନ୍ତି। ଯେଉଁଭଳି ଭାବେ ଛୋଟଶିଶୁ, ମହିଳାଙ୍କୁ ଟାର୍ଗେଟ କରାଯାଉଛି ତାକୁ ଦେଖି ବହୁତ କଷ୍ଟ ଲାଗୁଛି। ମୋର ବିଶ୍ୱାସ ଆତଙ୍କବାଦ ବିପକ୍ଷ ଏହି ଲଢ଼େଇରେ ଇସ୍ରାଏଲ ବିଜେତା ହେବ। ତାଙ୍କ ସହ ମୁଁ ମୋର ଆଗାମୀ ଫିଲ୍ମ ‘ତେଜସ’ ଏବଂ ଭାରତର ଆତ୍ମନିର୍ଭର ଲଢ଼ୁଆ ବିମାନ ତେଜସ୍‌ ବିଷୟରେ ଚର୍ଚ୍ଚା କଲି। ’

ସେହିଭଳି ଗିଲୋନ ଏକ୍ସରେ କହିଛନ୍ତି, ‘କଙ୍ଗନା ରାଣାଓ୍ବତଙ୍କୁ ଭେଟି ଖୁସି ଲାଗିଲା। ସେ ଇସ୍ରାଏଲକୁ ସମର୍ଥନ ଦେବା ଲାଗି ଆମ ଦୂତାବାସକୁ ଆସିଥିଲେ। ମୁଁ କେବଳ ତାଙ୍କ ପ୍ରତି ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମର ଭାରତୀୟ ବନ୍ଧୁମାନଙ୍କୁ ଆତଙ୍କବାଦ ବିରୋଧରେ ଆମ ଲଢ଼େଇରେ ସମର୍ଥନ ଜଣାଇବାକୁ ଧନ୍ୟବାଦ ଜଣାଉଛି। ’

Share