ୟୁଟର୍ନ ମାରିଲେ କଙ୍ଗନା? Gen Z ଙ୍କୁ ନେଇ ଦେଲେ ପୁଣି ବଡ଼ ବୟାନ

ନୂଆଦିଲ୍ଲୀ, ୭।୮: Bjp ସାଂସଦ/ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଗତ କିଛି ଦିନ ହେବ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାରେ ଥିଲେ, କିନ୍ତୁ ତାଙ୍କୁ ଭଲପାଇବା ବଦଳରେ କେବଳ ଅସନ୍ତୋଷ ଏବଂ ନାପସନ୍ଦ ହିଁ ମିଳିଥିଲା। ଏହାର କାରଣ ଥିଲା ତାଙ୍କର ଗୋଟିଏ ବକ୍ତବ୍ୟ, ଯାହା ସେ ଜେନ୍ ଜି (Gen Z) ପିଢ଼ିର ଯୁବକମାନଙ୍କ ପାଇଁ କହିଥିଲେ। ସେ ଏହି ଯୁବପିଢ଼ିକୁ ‘ଗଟର ଜେନେରେସନ୍’ (Gutter Generation) ବୋଲି କହି ବିବାଦ ସୃଷ୍ଟି କରିଥିଲେ, କିନ୍ତୁ ଏବେ କଙ୍ଗନାଙ୍କ ସ୍ୱର କିଛି ବଦଳିଲା ଭଳି ମନେହେଉଛି। ସେ ଶୁକ୍ରବାର ଦିନ ନିଜ କଥାରୁ ୟୁ-ଟର୍ଣ୍ଣ (U-turn) ନେଇ ଜେନ୍ ଜି ଯୁବପିଢ଼ିକୁ ଦେଶର ଶକ୍ତି ଏବଂ ଗର୍ବ ବୋଲି କହିଛନ୍ତି। କଙ୍ଗନା କହିଛନ୍ତି ଯେ କିଛି ଲୋକଙ୍କ ଯୋଗୁଁ ସମସ୍ତଙ୍କୁ ଆକଳନ (judge) କରିବା ଉଚିତ୍ ନୁହେଁ।
ସଂସଦ ବାହାରେ ଗଣମାଧ୍ୟମ ସହ କଥା ହୋଇ କଙ୍ଗନା ରଣାୱତ କହିଛନ୍ତି ଯେ କେବଳ ୧୦-୧୫ ଜଣ ଯୁବକ ହିଁ ଏପରି ଅଛନ୍ତି, ଯେଉଁମାନେ ସମଗ୍ର ପିଢ଼ିର ନାମ ଖରାପ କରୁଛନ୍ତି। ତାଙ୍କ କହିବା କଥା ଯେ ଦେଶକୁ ଆଗକୁ ନେବାରେ ଜେନ୍ ଜି ଯୁବପିଢ଼ିର ବହୁତ ବଡ଼ ହାତ ରହିଛି। କଙ୍ଗନା କହିଛନ୍ତି– “ଏହି ପିଢ଼ି ସରକାରଙ୍କର ହିଁ ଏକ ଅଂଶ। ଏହା ସେମାନଙ୍କର ଜନାଦେଶ, ଯାହାକୁ ମୋଦୀ ସରକାର ଏତେ ବର୍ଷ ଧରି ପୂରଣ କରିଆସୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କ୍ଲିପ୍‌ଗୁଡ଼ିକ ତୁଳନାରେ ଏହି ପିଢ଼ିର ଯୋଗଦାନ ବହୁତ ଅଧିକ।” କଙ୍ଗନା ନିଜ ସଫାଇରେ ଝାଡ଼ଖଣ୍ଡରେ ହେଉଥିବା ଛାତ୍ର ବିରୋଧ ପ୍ରଦର୍ଶନର ଉଲ୍ଲେଖ କରି କହିଛନ୍ତି ଯେ ଏହି ପିଲାମାନେ ଯୁବପିଢ଼ିର ସକାରାତ୍ମକ ଭାଗିଦାରୀର ଏକ ଜ୍ୱଳନ୍ତ ପ୍ରମାଣ।