କଙ୍ଗନାଙ୍କୁ ହତ୍ୟା ଧମକ

ମୁମ୍ବାଇ,୩୦।୧୧:ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ବିବାଦୀୟ ମନ୍ତବ୍ୟ ଯୋଗୁ ଚର୍ଚ୍ଚାରେ ଥାନ୍ତି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଭ୍ୟନ୍ତରୀଣ ବ୍ୟାପାର ଠାରୁ ଆରମ୍ଭ କରି ଦେଶର ପ୍ରାୟ ସମସ୍ତ ପ୍ରସଙ୍ଗ ପର୍ଯ୍ୟନ୍ତ କଙ୍ଗନା ମନ୍ତବ୍ୟ ଦିଅନ୍ତି। ଅନେକ ଥର କଙ୍ଗନାଙ୍କୁ ତାଙ୍କ ମନ୍ତବ୍ୟ ଯୋଗୁୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ବିଭିନ୍ନ ପ୍ରସଙ୍ଗରେ ଅଭିନେତ୍ରୀଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି। ଏବେ କଙ୍ଗନାଙ୍କୁ ହତ୍ୟା କରିବାର ଧମକ ଆସିଛି। ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। କଙ୍ଗନା ତାଙ୍କ ପୋଷ୍ଟରେ ଏଫଆଇଆର୍‌ର ଏକ କପି ଶେୟାର କରି କହିଛନ୍ତି ଯେ, ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଶହୀଦମାନଙ୍କୁ ସ୍ମରଣ କରି ମୁଁ ଲେଖିଥିଲି ଯେ ଦେଶଦ୍ରୋହୀମାନଙ୍କୁ କେବେ ବି କ୍ଷମା କର ନାହିଁ କିମ୍ବା ଭୁଲିଯାଅ ନାହିଁ। ଏହାପରେ ମୋତେ ଖୋଲାଖୋଲି ଧମକ ଦିଆଯାଉଛି। ମୁଁ ଏହାକୁ ଭୟ କରେ ନାହିଁ। ଯେଉଁମାନେ ଦେଶ ତଥା ଆତଙ୍କବାଦୀ ଶକ୍ତି ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି ସେମାନଙ୍କ ବିରୋଧରେ ମୁଁ କହିବି ଏବଂ ସର୍ବଦା କହିବି ବୋଲି ସେ କହିଛନ୍ତି।

Share