Categories: ଜାତୀୟ

କଙ୍ଗନାଙ୍କ ଉପରେ ଦେଶଦ୍ରୋହ

ନୂଆଦିଲ୍ଲୀ, ୨୧।୧୧: ଇନଷ୍ଟାଗ୍ରାମରେ ଷ୍ଟୋରି ପୋଷ୍ଟ କରିବାରୁ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ଉପରେ ରୁଜୁ ହୋଇଛି ଦେଶଦ୍ରୋହ ମାମଲା। ଭାରତୀୟ ଯୁବ କଂଗ୍ରେସ (ଆଇୟାଇସି) ଜାତୀୟ ସମ୍ପାଦକ ଅମ୍ରେଶ ରଞ୍ଜନ ପାଣ୍ଡେ ଓ ଅମବୁଜ ଦିକ୍ସିତ ନୂଆଦିଲ୍ଲୀସ୍ଥିତ ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ନୂଆ କୃଷି ଆଇନ ଉଚ୍ଛେଦ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ କଙ୍ଗନା ଇନ୍‌ଷ୍ଟାରେ ଏକ ଷ୍ଟୋରି ପୋଷ୍ଟ କରିଥିଲେ। ସେଥିରେ ଭାରତକୁ ଏକ ଜିହାଦୀ ରାଷ୍ଟ୍ର କହିଥିଲେ। “କଙ୍ଗନା ଜଣେ ଜଣାଶୁଣା ଅଭିନେତ୍ରୀ ଓ ତାଙ୍କର ଇନଷ୍ଟାରେ ୭୮ ଲକ୍ଷ ଫଲୋଅର୍ସ ଅଛନ୍ତି। ଏଣୁ ତାଙ୍କ ଉଦ୍ଦେଶ୍ୟମୂଳକ, ଦାୟିତ୍ୱହୀନ ଓ ଦେଶଦ୍ରୋହ ପୋଷ୍ଟ ଭାରତୀୟଙ୍କ ମଧ୍ୟରେ ଘୃଣା ଓ ଅସନ୍ତୋଷକୁ ଉତ୍ସାହିତ କରିପାରେ”ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି।

ଅଭିନେତ୍ରୀଙ୍କ ବିରୋଧରେ ୧୨୪ଏ (ଦେଶଦ୍ରୋହ), ୫୦୪ (ଶାନ୍ତି ଭଙ୍ଗ କରିବାର ଉଦ୍ଦେଶ୍ୟ) ଓ ଆଇପିସି ଦଫା ୫୦୫ରେ ମାମଲା ରୁଜୁ କରାଯାଇଛି।

Share