ଦାଉଦଙ୍କ ଘର ଭଙ୍ଗା ଯାଇ ପାରୁ ନ ଥିବା ବେଳେ କାହିଁକି ଭଙ୍ଗାଗଲା କଙ୍ଗନାଙ୍କ ଘର: ଫଡନବିଶ

ମୁମ୍ବାଇ,୧୧ ।୯: ମହାରାଷ୍ଟ୍ର ସରକାର ଓ ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ମଧ୍ୟରେ ତୁତୁ ମେମେ ଲାଗି ରହିଛି । ଇତିମଧ୍ୟରେ ମୁମ୍ବାଇ ପୋଲିସ କଙ୍ଗନାଙ୍କ ବିରୋଧରେ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ କରି ସାରିଲାଣି । ଏଥିପାଇଁ ମହାରାଷ୍ଟ୍ର ସରକାର ମୁମ୍ବାଇ ପୋଲିସକୁ ପତ୍ର ଲେଖିଥିବା ସୂଚନା ରହିଛି । ଏବେ ଏହି ମାମଲାକୁ ନେଇ ରାଜନୀତି ହେଲାଣି ସରଗରମ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଏବେ ପ୍ରଶ୍ନ କରିଛନ୍ତି ମହାରାଷ୍ଟ୍ର ସରକାର ଅଣ୍ଡର ୱାର୍ଲଡ ଡନ୍ ଦାଉଦ ଇବ୍ରାହିମଙ୍କ ଘର ଭାଙ୍ଗି ପାରିଲେ ନାହିଁ ଅଥଚ କଙ୍ଗନାଙ୍କ ଘର ଭାଙ୍ଗିଦେଲେ । ଅନ୍ୟପଟେ ଏକ ପ୍ରକାର ମହାରାଷ୍ଟ୍ର ସରକାରଙ୍କ ପକ୍ଷ ନେଇ ବରିଷ୍ଠ ଏନ୍‌ସିପି ନେତା ଶରଦ ପାୱାର କହିଛନ୍ତି କଙ୍ଗନାଙ୍କ ଘର ମହାରାଷ୍ଟ୍ର ସରକାର ନୁହେଁ ବରଂ ବିଏସ୍‌ସି ଦ୍ୱାରା ଭଙ୍ଗା ଯାଇଛି । ଏଥିରେ ସରକାରଙ୍କର କୌଣସି ଭୂମିକା ନାହିଁ । ଫଡନବିଶ ଆହୁରି ମଧ୍ୟ କହିଛନ୍ତି କଙ୍ଗନା କୌଣସି ରାଜନେତା ନୁହେଁ । ଶିବସେନା ବିନା କାରଣରେ ଏହାକୁ ବଢାଇ ଚାଲିଛି । ପୂର୍ବରୁ ଫଡନବିଶ ଟୁଇଟ୍ କରି କହିଥିଲେ, କଙ୍ଗନା ରାନାୱତଙ୍କ ମାମଲା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଆତଙ୍କ । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ଶୁକ୍ରବାର ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟି କଙ୍ଗନାଙ୍କୁ କ୍ଷତିପୂରଣ ଦେବାକୁ କହିଛନ୍ତି । ଯେମିତି ଭାବେ କଙ୍ଗନାଙ୍କ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଛି ତାହା ଆଦୌ ଠିକ୍ ନୁହେଁ ବୋଲି ଅଠାୱଲେ କହିଛନ୍ତି ।

Share