କେନ୍ ୱିଲିୟମସନଙ୍କୁ ମିଳିଲା ବଡ଼ ଦାୟିତ୍ୱ, ୨୦୨୭ ସିଜନରେ କୋଚ୍….

ନୂଆଦିଲ୍ଲୀ,୨୫।୧୧: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ୍ ୱିଲିୟମସନଙ୍କୁ ମିଳିଛି ବଡ଼ ଦାୟିତ୍ୱ । ୨୦୨୭ SA20 ଲିଗ୍‌ ପାଇଁ ତାଙ୍କୁ ଡର୍ବାନ ସୁପର ଜାଏଣ୍ଟସ୍‌ର ମୁଖ୍ୟ ପ୍ରଶିକ୍ଷକ (ହେଡ୍‌ କୋଚ୍‌) ଭାବେ ନିଯୁକ୍ତ କରାଯାଇଛି । ଏହାସହ ସେ ଲାନ୍ସ କ୍ଲୁଜନରଙ୍କ ସ୍ଥାନ ନେଇଛନ୍ତି । ୨୦୨୩ରେ ଆରମ୍ଭ ହୋଇଥିବା ପ୍ରଥମ ସଂସ୍କରଣରୁ କ୍ଲୁଜନର ଦଳ ସହ ଜଡ଼ିତ ଥିଲେ । ଚଳିତ ବର୍ଷ ଜୁଲାଇରେ ୱିଲିୟମସନ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ । ୱିଲିୟମସନ ୨୦୨୫ ଓ ୨୦୨୬ ସଂସ୍କରଣରେ ଡର୍ବାନ ସୁପର ଜାଏଣ୍ଟସ୍‌ ପକ୍ଷରୁ ଖେଳିଥିଲେ। ଏବେ ଆଗାମୀ ସଂସ୍କରଣରେ ଖେଳାଳି ଭାବେ ନୁହେଁ, ବରଂ ମୁଖ୍ୟ ପ୍ରଶିକ୍ଷକ ଭାବେ ଦଳର ଦାୟିତ୍ୱ ସମ୍ଭାଳିବେ।

ଡର୍ବାନ ସୁପର ଜାଏଣ୍ଟସ୍‌ ପକ୍ଷରୁ ୱିଲିୟମସନ ମୋଟ ୧୫ଟି ମ୍ୟାଚ୍‌ ଖେଳିଛନ୍ତି । ଏହାର ୧୩ଟି ଇନିଂସରେ ବ୍ୟାଟିଂ କରି ସେ ୩୪.୩୦ ହାରରେ ୩୪୩ ରନ୍‌ ସଂଗ୍ରହ କରିଛନ୍ତି । ଏହି ସମୟରେ ତାଙ୍କ ବ୍ୟାଟ୍‌ରୁ ୨ଟି ଅର୍ଦ୍ଧଶତକ ଆସିଥିବା ବେଳେ ସର୍ବାଧିକ ସ୍କୋର ରହିଛି ଅପରାଜିତ ୬୦ ରନ୍‌ । ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୧୯.୫୧ ରହିଛି ।ନୂଆ କୋଚ୍‌ ଭାବେ ୱିଲିୟମସନ ଫ୍ରାଞ୍ଚାଇଜ୍‌ର କ୍ରିକେଟ୍‌ ନିର୍ଦ୍ଦେଶକ ଟମ୍‌ ମୁଡିଙ୍କ ସହ ମିଶି କାମ କରିବେ । ଦଳର କୋଚିଂ ଷ୍ଟାଫ୍‌ରେ ରିଆନ୍‌ କୁକ୍‌ ବ୍ୟାଟିଂ କୋଚ୍‌, ଭରତ ଅରୁଣ ଦ୍ରୁତ ବୋଲିଂ କୋଚ୍‌, କାର୍ଲ କ୍ରୋ ସ୍ପିନ୍‌ ବୋଲିଂ କୋଚ୍‌ ଏବଂ କୁଶେନ କିଶନ ଫିଲ୍ଡିଂ କୋଚ୍‌ ଭାବେ ରହିବେ।

କେନ୍ ୱିଲିୟମସନ ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ଆଇପିଏଲ୍‌ରେ ଖେଳିଥିଲେ। ଏହି ୧୦ ବର୍ଷ ମଧ୍ୟରେ ସେ ୭୯ଟି ମ୍ୟାଚ୍‌ ଖେଳି ୭୭ଟି ଇନିଂସରେ ୩୫.୪୬ ହାରରେ ୨୧୨୮ ରନ୍‌ କରିଛନ୍ତି। ଏଥିରେ ୧୮ଟି ଅର୍ଦ୍ଧଶତକ ରହିଛି ଏବଂ ତାଙ୍କ ସର୍ବାଧିକ ସ୍କୋର ୮୯ ରନ୍‌। ସେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳିଥିବା ବେଳେ ହାଇଦ୍ରାବାଦ ଦଳର ଅଧିନାୟକ ମଧ୍ୟ ରହିଥିଲେ।

 

Dharitri – Odisha’s No.1 Odia Daily

Share