ଦାରିଙ୍ଗବାଡି,୧୯ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଗ୍ରାମର ମୋନାଲିସା ସାହୁ ୟୁପିଏସସି (ୟୁନିୟନ ପବ୍ଲିକ ସର୍ଭିସ କମିଶନ ) ର ମିଳିତ ଭୂ -ବୈଜ୍ଞାନିକ ୨୦୨୬ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୬ ନମ୍ବର ସ୍ଥାନରେ ରହିଛନ୍ତି । ସେ ଉକ୍ତ ପରୀକ୍ଷାରେ ଜଳଭୂତତ୍ତ୍ୱବିତ୍ ଭାବେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ପ୍ରକାଶ ଯେ ମୋନାଲିସା ତାଙ୍କ ବାପା ବିଶ୍ୱନାଥ ସାହୁ ମା’ ମମତା ସାହୁଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କ ସମେତ ଭାଇ, ମାମୁଁ, ମାଇଁ, ସାଙ୍ଗସାଥିଙ୍କୁ ଏଥିପାଇଁ ଶ୍ରେୟ ଦେଇଛନ୍ତି । ପ୍ରାଥମିକ ଶିକ୍ଷା ସେ ନିଜ ଗ୍ରାମ ଦଣ୍ଡିମାରେ କରିଥିବା ବେଳେ ଷଷ୍ଠ ଓ ସପ୍ତମ ନୟାଗଡ଼ ଦଶପଲା, ଅଷ୍ଟମ ଠାରୁ ଦଶମ ପର୍ଯ୍ୟନ୍ତ ନୟାଗଡ଼ ଜିଲା ଓଡଗାଁର ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟରେ ପଢିଥିଲେ । ଏହାପରେ ଯୁକ୍ତ ୨ ପଢିବା ପାଇଁ ସେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଅଧ୍ୟୟନ ପରେ ଯୁକ୍ତ ୩ ଓ ଏମଏଏସସି ବ୍ରହ୍ମପୁର ଖଲିକୋଟ କଲେଜରେ ଶିକ୍ଷାଦାନ କରିଥିଲେ । ସେ ଏମଏଏସସିରେ ଭୁତତ୍ତ୍ବରେ ଗୋଲ୍ଡ ମେଡାଲ ହାସଲ କରିଥିଲେ ।
ସେ ଅଗାଢ ପରିଶ୍ରମ କରିବା ସହ ଏହି ପରୀକ୍ଷା ପାଇଁ ନିଜ ଉଦ୍ୟମରେ ବିନା କୋଚିଂରେ ସାମାଜିକ ଗଣ ମାଧ୍ୟମରୁ ଶିକ୍ଷା ଗ୍ରହଣ କରି ସଫଳତା ପାଇଥିବା କହିଛନ୍ତି। ମୋନାଲିସାଙ୍କ ଏହି ସଫଳତାକୁ ନେଇ ତାଙ୍କ ଗ୍ରାମ ସମେତ ସମଗ୍ର ଦାରିଙ୍ଗବାଡି ଓ ଜିଲାରେ ପ୍ରଂଶସାର ସୁଅ ଛୁଟୁଛି ।