ଇକୋ ରିଟ୍ରିଟ ବୁଲିଲେ କନ୍ଧମାଳ ସାଂସଦ: ଶୁଣିଲେ ଲୋକଙ୍କ ଅଭିଯୋଗ, ଦେଲେ ବଡ଼ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି, ୧୭।୧୧ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ପର୍ଯ୍ୟଟନ ଭିତ୍ତିଭୂମି ଓ ବିକାଶ ସମ୍ଭାବନାକୁ ନେଇ ଆଲୋଚନା କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ। ମଙ୍ଗଳବାର ତାଙ୍କର ଦିନିକିଆ ଦାରିଙ୍ଗବାଡ଼ି ଗସ୍ତ ଅବସରରେ ସେ ଇକୋ ରିଟ୍ରିଟ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ।

ଗସ୍ତର ପ୍ରଥମ ପର୍ଯ୍ୟାୟରେ ସାଂସଦ ଇକୋ ରିଟ୍ରିଟ୍‌ରେ ପହଞ୍ଚି ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ଓ ବ୍ୟବସ୍ଥା ବୁଲି ଦେଖିଥିଲେ। ଏହି ଅବସରରେ ଇକୋ ରିଟ୍ରିଟର ମହାପ୍ରବନ୍ଧକ ବ୍ରହ୍ମାନନ୍ଦ ସାହୁଙ୍କ ସହ ଆଲୋଚନା କରି ପର୍ଯ୍ୟଟକଙ୍କ ରହଣି, ଆତିଥ୍ୟ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

ସାଂସଦଙ୍କ ଗସ୍ତ ସମୟରେ ସ୍ଥାନୀୟ ଭାଜପା କର୍ମକର୍ତ୍ତାମାନେ ତାଙ୍କୁ ସ୍ବାଗତ କରିଥିଲେ। ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ମଣ୍ଡଳର କର୍ମକର୍ତ୍ତାମାନେ ନିଜ ନିଜ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ସାଂସଦଙ୍କ ନଜରକୁ ଆଣିବା ସହ ସେଗୁଡ଼ିକର ସମାଧାନ ପାଇଁ ଆଲୋଚନା କରିଥିଲେ। ଏହାସହ ବହୁ ସାଧାରଣ ଲୋକ ମଧ୍ୟ ସାଂସଦଙ୍କୁ ଭେଟି ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସମ୍ପର୍କିତ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ସାଂସଦ ସମସ୍ତ ଅଭିଯୋଗପତ୍ରକୁ ଗୁରୁତ୍ୱର ସହ ଅନୁଧ୍ୟାନ କରିବା ସହ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ସାଂସଦ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ଦାରିଙ୍ଗବାଡ଼ିର ପର୍ଯ୍ୟଟନ ଆଉ କେବଳ ଜିଲା କିମ୍ବା ରାଜ୍ୟ ମଧ୍ୟରେ ସୀମିତ ନାହିଁ। ସମଗ୍ର ଦେଶରେ ଏହାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏଠାକାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ, ଶୀତଳ ଜଳବାୟୁ ଓ ସବୁଜ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ତେଣୁ ପର୍ଯ୍ୟଟନ କ୍ଷେତ୍ରର ଯୋଜନାବଦ୍ଧ ବିକାଶ ହୋଇପାରିଲେ ଅଞ୍ଚଳର ସାମଗ୍ରିକ ଉନ୍ନତି ହେବା ସହ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ। ଫଳରେ ଅଞ୍ଚଳବାସୀ ଆର୍ଥିକ ଭାବେ ସ୍ବାବଲମ୍ବୀ ହୋଇପାରିବେ।

ସାଂସଦଙ୍କ ଏହି ଗସ୍ତ ସମୟରେ ତାଙ୍କ କନ୍ଧମାଳ ପ୍ରତିନିଧି ଦୁର୍ଗା ଆଚାର୍ଯ୍ୟ, ଦାରିଙ୍ଗବାଡ଼ି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ହରେନ ସାହୁ, ପ୍ରଭାକର ସାହୁ, ବିରଞ୍ଚି ନାରାୟଣ ସାହୁ, ସୁବାଷ ସାହୁ, ମଣ୍ଡଳ ସମ୍ପାଦକ ରଞ୍ଜନ ସାହୁ ଓ ରୁଦ୍ର ମାଧବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସରକାରୀ ଅଧିକାରୀଙ୍କ ମଧ୍ୟରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସହକାରୀ ଯନ୍ତ୍ରୀ ତୁଷାର ସେଠୀ ଓ ଥାନା ଅଧିକାରୀ (ଆଇଆଇସି) ସଂଗ୍ରାମ କେଶରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 

Share