ଦାରିଙ୍ଗବାଡ଼ି, ୧୩।୭ (ଅରୁଣ ସାହୁ): କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ୨ ଦିନିଆ ଦାରିଙ୍ଗବାଡି ଗସ୍ତ କାର୍ଯ୍ୟକ୍ରମ ରହିଛି | ଏହାକୁ ନେଇ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ଏମ୍ପିଙ୍କ ଗସ୍ତକୁ ନେଇ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ତତ୍ପରତା ବଢ଼ିଥିବା ବେଳେ ଭାଜପା କର୍ମୀ, ନେତା ଏବଂ ଦୁର୍ଗମ ଗ୍ରାମବାସୀମାନେ ତାଙ୍କୁ ସ୍ୱାଗତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।
କାର୍ଯ୍ୟକ୍ରମ ଅନୁଯାୟୀ, ଏମ୍ପି ମଙ୍ଗଳବାର ସନ୍ଧ୍ୟାରେ ଦାରିଙ୍ଗବାଡ଼ିରେ ପହଞ୍ଚି ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ରାତ୍ରିଯାପନ କରିବେ। ପରଦିନ ସକାଳେ ସେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ଏଥିରେ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ଏବଂ କଫି ବଗିଚାରେ ନିର୍ମିତ କଫି ଆଉଟଲେଟ୍ର ଉଦ୍ଘାଟନ ମଧ୍ୟ ସାମିଲ ରହିଛି।
ପରେ ଅପରାହ୍ନରେ ଏମ୍ପିଙ୍କ ଦୁର୍ଗମ ଅଞ୍ଚଳ ଗସ୍ତ କାର୍ଯ୍ୟକ୍ରମ ରହିଛି। ସେ କେଉଁ ଦୁର୍ଗମ ଗ୍ରାମକୁ ଗସ୍ତ କରିବେ, ତାହା ସେ ନିଜେ ସ୍ଥିର କରିବେ ଏବଂ ବିନା ପୂର୍ବ ସୂଚନାରେ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସମସ୍ୟାର ସମୀକ୍ଷା କରିପାରନ୍ତି ବୋଲି ଜଣାପଡ଼ିଛି। ଗୁରୁବାର ଏମ୍ପି ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଗବାଟବାଡ଼ି ଗ୍ରାମକୁ ଗସ୍ତ କରି ମହାପ୍ରଭୁଙ୍କ ରଥଯାତ୍ରାରେ ଯୋଗଦେବେ। ସେ ରଥ ପୂଜା ଓ ନୀତିକାନ୍ତିରେ ସାମିଲ ହେବା ସହ ରଥ ଟାଣିବେ। ଏହାସହ ଗ୍ରାମବାସୀ ଏବଂ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ସହ ବସି ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ।
ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହାରେ ଏମ୍ପି ପ୍ରଥମଥର ପାଇଁ ଗବାଟବାଡ଼ି ରଥଯାତ୍ରାରେ ଯୋଗଦେଇ ପୂଜାର୍ଚ୍ଚନା ଓ ରଥଟଣାରେ ସାମିଲ ହୋଇଥିଲେ। ସେହି ସମୟରେ ଗ୍ରାମର ରାସ୍ତାଘାଟ, ପିଇବା ପାଣି ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ପରେ ସେହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇଥିବା ବେଳେ ଅବଶିଷ୍ଟ ସମସ୍ୟାଗୁଡ଼ିକୁ ମଧ୍ୟ ଲୋକଙ୍କ ସହ ଆଲୋଚନା କରି ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ବୋଲି କନ୍ଧମାଳ ଏମ୍ପିଙ୍କ ଜିଲା ପ୍ରତିନିଧି ଦୁର୍ଗା ଆଚାର୍ଯ୍ୟ ପ୍ରତିକ୍ରିୟାରେ କହିଛନ୍ତି। ଏମ୍ପିଙ୍କ ଏହି ଦୁଇ ଦିନିଆ ଗସ୍ତକୁ ନେଇ ଦାରିଙ୍ଗବାଡ଼ି ଓ ଆଖପାଖ ଅଞ୍ଚଳରେ ସରକାରୀ ଏବଂ ବେସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି।

