ସପ୍ତାହେ ନ ପୂରୁଣୁ ବଦଳିଲେ କନ୍ଦରପୁର ଥାନା ଅଧିକାରିଣୀ: ବଢୁଛି ଚର୍ଚ୍ଚା

କଟକ ସଦର,୧୪।୧୦ (ସୁଶାନ୍ତ କୁମାର ଜେନା): ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ବ୍ୟବସ୍ଥାରେ ଅଧିକାରୀଙ୍କ ବଦଳିକୁ ନେଇ ଚର୍ଚ୍ଚା ଜୋର ଧରିଛି। କନ୍ଦରପୁର ଥାନା ଅଧିକାରିଣୀ ଭାବେ ଯୋଗଦେବାର ମାତ୍ର ୮ ଦିନ ମଧ୍ୟରେ ଅନୁସୂୟା ସେଠୀଙ୍କୁ ହେଡକ୍ୱାର୍ଟସକୁ ବଦଳି କରାଯାଇଛି। ଏନେଇ କମିଶନରେଟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଅନୁସୂୟା ସେଠୀ ଗତ ୬ ତାରିଖ ସନ୍ଧ୍ୟାରେ କନ୍ଦରପୁର ଥାନା ଅଧିକାରିଣୀ ଭାବେ ଯୋଗ ଦେଇଥିଲେ। ୭ ତାରିଖରେ ସେ ପୂର୍ବତନ ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେଇଥିଲେ। ତେବେ ୧୪ ତାରିଖ ରାତିରେ ତାଙ୍କର ହେଡକ୍ୱାର୍ଟସକୁ ବଦଳି ନିର୍ଦ୍ଦେଶ ଜାରି ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, କନ୍ଦରପୁର ଥାନାର ନୂତନ ଅଧିକାରୀ ଭାବେ ଚୌଦ୍ୱାର ଥାନାର ଅତିରିକ୍ତ ଦାୟିତ୍ୱରେ ଥିବା ନିରଞ୍ଜନ ଭୋଇଙ୍କୁ ନିଯୁକ୍ତ କରାଯାଇଛି।

ସୂଚନାଯୋଗ୍ୟ, ଜଣେ ସରପଞ୍ଚଙ୍କ ସ୍ବାମୀଙ୍କ ଗିରଫଦାରୀକୁ ନେଇ ପୂର୍ବତନ ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀ ବିବାଦରେ ରହିଥିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। ତେବେ ଅନୁସୂୟାଙ୍କ ଅଳ୍ପଦିନ ମଧ୍ୟରେ ବଦଳି ପଛର ପ୍ରକୃତ କାରଣ ସମ୍ପର୍କରେ ଅଧିକାରିକ ଭାବେ କିଛି ସ୍ପଷ୍ଟ କରାଯାଇନାହିଁ।

 

Dharitri – Odisha’s No.1 Odia Daily

 

Share