କନ୍ଦରପୁର କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

କଟକ,୩ା୪ (କାର୍ତ୍ତିକ ସାହୁ: କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କ ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। କଟକ ଦ୍ୱିତୀୟ ଅତିରିକ୍ତ ଦୌରାଜଜ୍‌ ଅଭିଯୁକ୍ତ ଅର୍ଜୁନ ଜେନା(୪୩)ଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କାର ଜରିମାନା ପ୍ରଦାନ କରିବାକୁ ଅଭିଯୁକ୍ତଙ୍କୁ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି।
ମାମଲାର ବିବରଣୀ ଅନୁସାରେ, କନ୍ଦରପୁର ଥାନା ଅନ୍ତର୍ଗତ ସିଦ୍ଧେଶ୍ୱରପୁର ଅଞ୍ଚଳରେ ୨୦୨୧ ଅଗଷ୍ଟ ୨୯  ସନ୍ଧ୍ୟା ୬ଟା ସମୟରେ ହତ୍ୟାକାଣ୍ଡ ଘଟିଥିଲା। ଅଭିଯୁକ୍ତ ଅର୍ଜୁନ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କୁ ଏକ ଧାରୁଆ କଟୁରୀରେ ଆକ୍ରମଣ କରି ହତ୍ୟା କରିଥିବା କନ୍ଦରପୁର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କର ସ୍ଥାନୀୟ ଅଞ୍ଚଳରେ ଏକ ପାନ ଦୋକାନ ଥିଲା। ଅଭିଯୁକ୍ତ ଜଣକ ଶତପଥୀଙ୍କ ଠାରୁ ଟଙ୍କା ଧାର କରିଥିଲେ। ବାରମ୍ବାର କହିବା ପରେ ମଧ୍ୟ ସେ ଧାର ଟଙ୍କା ଫେରସ୍ତ କରୁନଥିଲେ। ଘଟଣା ଦିନ ଶତପଥୀ ଓ ଅର୍ଜୁନଙ୍କ ମଧ୍ୟରେ ଧାର ଟଙ୍କା ଫେରସ୍ତ କରିବା ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଅର୍ଜୁନ ଉତ୍‌କ୍ଷିପ୍ତ ହୋଇ ଶତପଥୀଙ୍କୁ ଏକ ଧାରୁଆ କଟୁରିରେ ଆକ୍ରମଣ କରିଥିଲେ। ଏହାଦ୍ୱାରା ଶତପଥୀଙ୍କ ଡାହାଣ ହାତର ଚାରିଟି ଆଙ୍ଗୁଳି ସଂପୂର୍ଣ୍ଣ କଟିଯିବା ସହ ସେ ଗୁରୁତର ହୋଇଥିଲେ।  ଏହି ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଶତପଥୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କଟକ ଦ୍ୱିତୀୟ ଅତିରିକ୍ତ ଦୌରାଜଜ୍‌ଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହୋଇ ରାୟ ସଂରକ୍ଷିତ ଥିଲା।