କନାକୁଣ୍ଡ ପିକ୍‌ନିକ ସ୍ପଟ୍‌ ସିଲ୍‌ ହେଲା

ସୁନ୍ଦରଗଡ,୮।୧(ଡି.ଏନ.ଏ.): ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ ତଳସରା ଥାନା ଅନ୍ତର୍ଗତ ଘୋଘର ଗ୍ରାମ ନିକଟ ଇବ ନଦୀର କନାକୁଣ୍ଡ ଘାଟ ପିକ୍‌ନିକ ସ୍ପଟ କୁ ପରିଶେଷରେ ସିଲ୍‌ କରିଛି ପ୍ରଶାସନ। ଉପଜିଲାପାଳ ଏହି ସ୍ଥାନର ଚାରିପାଖରେ ବ୍ୟାରିକେଟ ଲଗାଇବା ଓ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ସେଠାରେ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପିକ୍‌ନିକ ସ୍ପଟରେ ଅସାବଧାନତା ବଶତଃ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜୀବନହାନି ଘଟିବା ପରେ ପ୍ରଶାସନର ଚେତା ପଶିଛି।
ଗତ ଦୁଇବର୍ଷ ମଧ୍ୟରେ ଏହି ସ୍ଥାନରେ ପିକ୍‌ନିକ କରିବାକୁ ଆସି ୫ ଜଣଙ୍କ ଜୀବନ ଯାଇଛି। ଗତବର୍ଷ ଜଣେ ଯୁବତୀ ସେଲ୍‌ଫି ନେଉଥିବା ବେଳେ ନଦୀକୁ ଖସିପଡି ମୃତ୍ୟୁବରଣ କରିଥିଲେ ା ଡିସେମ୍ବର ୧୮ତାରିଖରେ ରାଉରକେଲାର ଜଣେ ଯୁବକ ସେଠାରେ ସେଲ୍‌ଫି ନେବା ବେଳେ ପାଣିକୁ ଖସି ମୃତ୍ୟୁବରଣ କରିଥିଲେ ା ଅନ୍ୟ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ା ଏଭଳି ଅଘଟଣ ଘଟୁଥିବା ଜାଣି ବି ଗତ ୪ ତାରିଖରେ ସେହି ସ୍ଥାନକୁ ପିକ୍‌ନିକ କରିବାକୁ ଆସିଥିବା ଝାରସୁଗୁଡା ଜିଲାର ୩ଜଣ ଯୁବକ ନଦୀ ପାଣିରେ ଗାଧୋଇବା ବେଳେ ଭାସି ଯାଇଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଜଣେ ଯୁବକଙ୍କୁ ଉଦ୍ଧାର କରିଥିଲା ବେଳେ ଅନ୍ୟ ୨ଜଣଙ୍କ ମୃତଦେହ ଜବତ କରିଥିଲେ। ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହି ସ୍ଥାନକୁ ନିଷିଦ୍ଧାଞ୍ଚଳ ଘୋଷଣା କଳିବାକୁ ଦାବି ହୋଇ ଆସୁଥିଲା। ଏନେଇ ଅଞ୍ଚଳବାସୀଙ୍କ ତରଫରୁ ପୂର୍ବତନ ବିଧାୟକ ଡା. ପ୍ରଫୁଲ୍ଲ କୁମାର ମାଝୀ ପ୍ରଶାସନ ସହିତ ଆଲୋଚନା କରିଥିଲେ। ଉପଜିଲାପାଳ ଦାଶରଥୀ ସରାବୁ ଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ବାଲିଶଙ୍କରା ବିଡିଓ ଜ୍ୟୋତିମୟୀ ପ୍ରଧାନ,ତହସିଲଦାର ରୀନା ନାଏକ, ତଳସରା ଆଇଆଇସି ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଘଟଣାସ୍ଥଳରେ ପହଞ୍ଚି ଏହି ସ୍ଥାନକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି। ପୂର୍ବତନ ବିଧାୟକ ଡା. ମାଝୀଙ୍କ ସମେତ ବ୍ଲକ ଉପାଧ୍ୟକ୍ଷ ପୀତାମ୍ବର ଶେଖରଦେଓ, ସରପଞ୍ଚ ସୁଲୋଚନା ସୁଆରୀ, ସମିତି ସଭ୍ୟ କହ୍ନେଇ ଜୟପୁରିଆ, କନାକୁଣ୍ଡ ବିକାଶ ପରିଷଦର ସଭାପତି ଲବଣୀ ଧର ଦାନୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।