Categories: ଜାତୀୟ

କମଲା ହାରିସ୍‌ଙ୍କ ବିଜୟକୁ ନେଇ ଖୁସି ପ୍ରକାଶ କଲେ ତାଙ୍କ ମାଉସୀ

ଚେନ୍ନାଇ,୯ ।୧୧: ଆମେରିକା ଉପରାଷ୍ଟ୍ରପତି ଭାବେ ଭାରତୀୟ ମୂଳ ବାସିନ୍ଦା କମଲା ହାରିସ୍ ବିଜୟଲାଭ କରିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଇତିହାସ ରଚିଥିବା କମଲାଙ୍କ ପାଇଁ ତାଙ୍କ ମାଉସୀ ଡାକ୍ତର ସରଳା ଗୋପଳନ କହିଛନ୍ତି, କମଲା ଯାହା ପାଇବାକୁ ଇଚ୍ଛା ରଖିଥିଲେ ତାହା ତାଙ୍କୁ ମିଳିଛି । ଏଥିପାଇଁ କମଲାଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । କମଲାଙ୍କ ମାଉସୀ ଜଣେ ଡାକ୍ତର ହୋଇଥିବା ବେଳେ ସେ ଚଣ୍ଡିଗଡ଼ରେ କାମ କରନ୍ତି । କମଲା ବେଳେ ବେଳେ ତାଙ୍କ ସହ ଦେଖା କରିବାକୁ ଚଣ୍ଡିଗଡ଼ ମଧ୍ୟ ଆସିଥାଆନ୍ତି । ତେବେ କମଲାଙ୍କ ମା’ ଶ୍ୟାମଳା ଗୋପାଳନଙ୍କର ଚେନ୍ନାଇରେ ଜନ୍ମ ହୋଇଥିବା ବେଳେ ଉଚ୍ଚ ଶିକ୍ଷା ପାଇଁ ସେ ଆମେରିକା ଚାଲିଯାଇଥିଲେ । ସେଠାରେ ସେ କ୍ୟାନସରର ବିଶେଷଜ୍ଞଭାବେ କାମ କରୁଥିଲେ । ପିଲାବେଳୁ ଆମେରିକାରେ ବଢିଥିବା କମଲା ଆଜି ଯେଉଁ ଇତିହାସ ରଚିଛନ୍ତି ତାକୁ ନେଇ ଆମେ ସମସ୍ତେ ଗର୍ବିତ ବୋଲି କହିଛନ୍ତି ମାଉସୀ ସରଳା । ସୂଚନାଯୋଗ୍ୟ, ଭାରତୀୟ ମୂଳ ବାସିନ୍ଦା କମଲା ହାରିସ୍ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଇତିହାସ ରଚିଛନ୍ତି ।

Share