Categories: ବାଣିଜ୍ୟ

୫୨ ସପ୍ତାହରେ ୫୨ନୂଆ ଷ୍ଟୋର ଖୋଲିବ କଲ୍ୟାଣ ଜୁଏଲର୍ସ

ନୂଆଦିଲ୍ଲୀ,୨୦।୧୨: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସ ଆସନ୍ତା ୨୦୨୩ରେ ବ୍ୟବସାୟ ସମ୍ପ୍ରସାରଣ ସାଙ୍ଗକୁ ନୂଆ ଷ୍ଟୋର ଖୋଲିବା ନେଇ ଯୋଜନା କରିଥିବା ଜଣାପଡିଛି। ଏପରିକି ୫୨ ସପ୍ତାହରେ ୫୨ଟି ନୂଆ ଷ୍ଟୋର ଖୋଲିବାକୁ କଲ୍ୟାଣ ଲକ୍ଷ୍ୟ ରଖିଥିବା ବେଳେ କମ୍ପାନୀ (କଲ୍ୟାଣ) ତା’ର ବଜାର ଉପସ୍ଥିତିରେ ମଧ୍ୟ ୩୦% ବୃଦ୍ଧି ଆଣିବ ବୋଲି କୁହାଯାଉଛି। ସେହିଭଳି ୨୦୨୩ରେ କମ୍ପାନୀ ମୁଖ୍ୟତଃ ଅଣଦକ୍ଷିଣ ଭାରତୀୟ ଅଞ୍ଚଳରେ ବ୍ୟବସାୟ ସମ୍ପ୍ରସାରଣକୁ ଗୁରୁତ୍ୱାରୋପ କରିବ। କମ୍ପାନୀର ମୋଟ କାରବାର ପ୍ରତି ଉପରୋକ୍ତ ଅଞ୍ଚଳଗୁଡ଼ିକର ଅବଦାନ ୩୫% ରହିଛି। ଅଣ ଦକ୍ଷିଣ ଭାରତୀୟ ବଜାରରୁ ୫୦% ରାଜସ୍ବ ସଂଗ୍ରହ କରିବା ଲାଗି କମ୍ପାନୀର ଯେଉଁ ଭିଜନ ୨୦୨୫ ରହିଛି, ସେହି ଆଧାରରେ କଲ୍ୟାଣ ଜୁଏଲର୍ସ ତା’ର ଷ୍ଟୋର ସମ୍ପ୍ରସାରଣ
କରିବାକୁ ଯୋଜନା ରଖିଛି। ସେହିପରି ୨୦୨୨ରେ ପାଇଲଟ୍‌ ଫ୍ରାଞ୍ଚାଇଜ୍‌ ପର୍ଯ୍ୟାୟ ସଫଳତାର ସହ ଶେଷ ହେବା ପରେ କମ୍ପାନୀର ସମ୍ପ୍ରସାରଣ ଯୋଜନା ମୁଖ୍ୟତଃ ଫ୍ରାଞ୍ଚାଇଜ ଉପରେ ପର୍ଯ୍ୟବସିତ ରହିବ। ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି, ୨୦୨୨ ସେପ୍ଟେମ୍ବର ୩୦ ସୁଦ୍ଧା କମ୍ପାନୀ ପ୍ରାୟ ୧୩,୦୦୦ କୋଟି ଟଙ୍କାର ରାଜସ୍ବ ଏବଂ ପ୍ରାୟ ୪୨୫ କୋଟି ଟଙ୍କାର ପିଏଟି ହାସଲ କରି ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଏପରିକି ଗହଣା କ୍ଷେତ୍ରରେ ବର୍ତ୍ତମାନ ଅଧିକ ସଂଗଠିତ ଏବଂ ଅନୁଭୂତିପୂର୍ଣ୍ଣ ରିଟେଲ ବଜାର ଆଡ଼କୁ ଅଗ୍ରସର ହେଉଥିବା ବେଳେ ସେହି ଧାରାର ଲାଭ ହାସଲ କରିବା ଲାଗି ଆମେ ବେଶ ସୁଦୃଢ଼ ସ୍ଥିତିରେ ରହିଛୁ। କମ୍ପାନୀର ପରବର୍ତ୍ତୀ ପିଢ଼ିର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ହେଉଛି ଉକ୍ତ ସାମଗ୍ରିକ ରଣନୀତିର ପ୍ରମୁଖ ଲକ୍ଷ୍ୟ ଏବଂ ଏହା ଆମ ବଜାର ଅଂଶରେ ଉଲ୍ଲେଖନୀୟ ଉନ୍ନତି ଆଣିବ ଏବଂ ଆମ ପୁଞ୍ଜି ଉପରେ ଉତ୍ତମ ରିଟର୍ନ ପ୍ରଦାନ କରିବ।

Share