Categories: ଜାତୀୟ

ଭାରତରେ ବଢ଼ୁଛି କଲରାପତରିଆ ବଂଶ

ନୂଆଦିଲ୍ଲୀ, ୧ା୩ (ପି.ଟି)ଭାରତରେ କଲରାପତରିଆ ବାଘଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସବିଶେଷ ରିପୋର୍ଟ ଅନୁଯାୟୀ ୨୦୨୨ ସୁଦ୍ଧା ଭାରତରେ କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ି ୧୩,୮୭୪ରେ ପହଞ୍ଚିଛି। ଏହି ସଂଖ୍ୟା ୨୦୧୮ରେ ୧୨,୮୫୨ ରହିଥିବାରୁ ୪ ବର୍ଷ ମଧ୍ୟରେ ଦେଶରେ ୧,୦୨୨ କଲରାପତରିଆ ବାଘଙ୍କର ବୃଦ୍ଧି ଘଟିଛି। ଦେଶରେ କଲରାପତରିଆ ବାଘଙ୍କ ସ୍ଥିତି ନେଇ ଗୁରୁବାର କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏକ ରିପୋର୍ଟ ଉନ୍ମଚୋନ କରିଛନ୍ତି। ମଧ୍ୟପ୍ରଦେଶରେ କଲରାପତରିଆ ବାଘଙ୍କ ସଂଖ୍ୟା ସର୍ବାଧିକ ରହିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୮ରେ ମଧ୍ୟପ୍ରଦେଶରେ ୩,୪୨୧ଟି କଲରାପତରିଆ ବାଘ ଥିବାବେଳେ ଏହି ସଂଖ୍ୟା ୨୦୨୨ରେ ବଢ଼ି ୩,୯୦୭ରେ ପହଞ୍ଚିଛି। ଏହି ତାଲିକାରେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ଥିବା ବେଳେ କର୍ନାଟକ ଏବଂ ତାମିଲନାଡ଼ୁ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି। ତାଜା ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ୧,୯୯୫ଟି କଲରାପତରିଆ ବାଘ ଥିବାବେଳେ କର୍ନାଟକ ଓ ତାମିଲନାଡ଼ୁରେ ଏହି ସଂଖ୍ୟା ଯଥାକ୍ରମେ ୧,୮୭୯ ଓ ୧,୦୭୦ ରହିଛି। ତେବେ ଶିବାଳିକ ପର୍ବତମାଳା ଓ ଗାଙ୍ଗେୟ ସମତଳ ଭୂମିରେ କଲରାପତରିଆ ବାଘଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ୨୦୧୮ରେ ଏହି ଅଞ୍ଚଳରେ ୧୨୫୩ଟି କଲରାପତରିଆ ବାଘ ଥିବା ବେଳେ ଏବେ ଏହି ସଂଖ୍ୟା କମି ୧୧୦୯ରେ ପହଞ୍ଚିଛି। ଆନ୍ଧ୍ର ପ୍ରଦେଶର ନାଗାର୍ଜୁନ ସାଗର-ଶ୍ରୀଶୈଳମ ବ୍ୟାଘ୍ର ଅଭୟାରଣ୍ୟ, ମଧ୍ୟପ୍ରଦେଶର ପନ୍ନା ଓ ସାତପୁରା ବ୍ୟାଘ୍ର ଅଭୟାରଣ୍ୟରେ ସର୍ବାଧିକ କଲରାପତରିଆ ବାଘ ରହିଥିବା ଏହି ରିପୋର୍ଟ ପ୍ରକାଶ କରିଛି। କଲରାପତରିଆ ବାଘମାନଙ୍କର ପଞ୍ଚମ ଥର ପାଇଁ କରାଯାଇଥିବା ଏହି ଗଣନା ଦେଶର ୧୮ଟି ରାଜ୍ୟରେ ହୋଇଥିଲା।

Share