କଳ୍ପନା, ଲକ୍ଷ୍ମୀସାଗର ଅଞ୍ଚଳରେ ପୋଲିସର ଜୋରଦାର ଚଢ଼ାଉ

ଭୁବନେଶ୍ୱର,୧।୯:  ରାଜଧାନୀ ଭୁବନେଶ୍ୱରର କଳ୍ପନା ଓ ଲକ୍ଷ୍ମୀସାଗର ଅଞ୍ଚଳରେ କମିଶନରେଟ୍‌ ପୋଲିସର ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇଛି। ଗଞ୍ଜେଇ, ଗୁଟ୍‌ଖା ଓ ପାନ ମସଲା ଭଳି ନିଶାଦ୍ରବ୍ୟ ଏବଂ ତମାଖୁଜାତୀୟ ସାମଗ୍ରୀ ବିକ୍ରି ନେଇ ଅଭିଯୋଗ ମିଳିବା ପରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି।

ବିଶେଷକରି ଶିକ୍ଷାନୁଷ୍ଠାନ ନିକଟରେ ଥିବା ଦୋକାନଗୁଡ଼ିକ ଉପରେ ପୋଲିସ ଗୁରୁତ୍ୱ ଦେଇ ଯାଞ୍ଚ କରିଥିଲା। ଛାତ୍ରୀଛାତ୍ରଙ୍କୁ ନିଶାଦ୍ରବ୍ୟ ଓ ତମାଖୁଜାତୀୟ ସାମଗ୍ରୀର ପ୍ରଭାବରୁ ଦୂରେଇ ରଖିବା ସହ ବେଆଇନ ବିକ୍ରି ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ଏହି ଅଭିଯାନ ଚଳାଯାଇଥିବା ଜଣାପଡ଼ିଛି।

ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ର ଅଧିକାରୀ ଓ କର୍ମଚାରୀମାନେ ବିଭିନ୍ନ ଦୋକାନରେ ପହଞ୍ଚି ନିଶାଦ୍ରବ୍ୟ ଏବଂ ତମାଖୁଜାତୀୟ ସାମଗ୍ରୀର ବିକ୍ରି ସମ୍ପର୍କରେ ଯାଞ୍ଚ କରିଥିଲେ। ଏଥିସହ ଦୋକାନଗୁଡ଼ିକରେ ନିୟମ ଉଲ୍ଲଂଘନ ହେଉଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯାଇଥିଲା।

ସୂଚନାଯୋଗ୍ୟ, ଶିକ୍ଷାନୁଷ୍ଠାନ ନିକଟରେ ତମାଖୁଜାତୀୟ ସାମଗ୍ରୀ ଓ ନିଶାଦ୍ରବ୍ୟ ବିକ୍ରି ଉପରେ ନିୟମ ରହିଥିବାରୁ ପୋଲିସ ପକ୍ଷରୁ ଏହି ଅଞ୍ଚଳରେ ନଜରଦାରି ବଢ଼ାଯାଇଛି। ଆଗକୁ ମଧ୍ୟ ବେଆଇନ ନିଶାଦ୍ରବ୍ୟ ବିକ୍ରି ବିରୋଧରେ ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Share