Categories: ଖେଳ

ହକି ପ୍ରୋ-ଲିଗ୍‌ ପାଇଁ କଳିଙ୍ଗ ପ୍ରସ୍ତୁତ

ଭୁବନେଶ୍ୱର, ୨୦।୧୦ (କ୍ରୀଡ଼ା ପ୍ରତିନିଧି): ପାଖାପାଖି ୨ ବର୍ଷ ବ୍ୟବଧାନରେ କଳିଙ୍ଗ ଷ୍ଟାଡିୟମ ହକି କମ୍ପେକ୍ସ ଦ୍ୱାର ସାଧାରଣ ଦର୍ଶକଙ୍କ ପାଇଁ ଖୋଲିବାକୁ ଯାଉଛି। ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ର ଭୁବନେଶ୍ୱର ଭେନ୍ୟୁ ପାଇଁ ଅନ୍‌ଲାଇନ୍‌ ଟିକେଟ ବିକ୍ରି ଇତିମଧ୍ୟରେ ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଚଳିତ ମାସ ୨୮ ତାରିଖରୁ ହକି ପ୍ରୋ-ଲିଗ୍‌ ମ୍ୟାଚ ଆରମ୍ଭ ହେବ। ଭାରତ, ନ୍ୟୁଜିଲାଣ୍ଡ ଓ ସ୍ପେନ୍‌କୁ ନେଇ ମ୍ୟାଚଗୁଡ଼ିକ ନଭେମ୍ବର ୬ ପର୍ଯ୍ୟନ୍ତ ଚାଲିବ। ୨୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ।

୩୦ ତାରିଖରେ ଭାରତ ଏହାର ଦ୍ୱିତୀୟ ମ୍ୟାଚରେ ସ୍ପେନ୍‌କୁ ଭେଟିବ। ପ୍ରତି ଦଳ ପ୍ରତିପକ୍ଷକୁ ୨ଟି ଲେଖାଏ ମ୍ୟାଚରେ ଭେଟିବାର ଥିବାରୁ କଳିଙ୍ଗରେ ମୋଟ ୬ଟି ମ୍ୟାଚ ଅନୁଷ୍ଠିତ ହେବ। ସେହି କ୍ରମରେ ଭାରତ ଏହାର ୨ଟି ମ୍ୟାଚ ନଭେମ୍ବର ୪ରେ ନ୍ୟୁଜିଲାଣ୍ଡ ଏବଂ ୬ରେ ସ୍ପେନ୍‌ ସହିତ ଖେଳିବ। ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଟିକେଟ ticketgenie.in/tickets/fih-hockey-pro-league ଓ୍ବେବସାଇଟ୍‌ରେ ଉପଲବ୍ଧ। ଭାରତ ଖେଳିବାକୁଥିବା ମ୍ୟାଚ ପାଇଁ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ଟିକେଟର ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ଇଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୨୦୦ ଟଙ୍କା ଥିବାବେଳେ ଓ୍ବେଷ୍ଟ ଷ୍ଟାଣ୍ଡ ପାଇଁ ୫୦୦ ଟଙ୍କା ରଖାଯାଇଛି। ଭାରତ ଖେଳୁ ନ ଥିବା ମ୍ୟାଚଗୁଡ଼ିକ ପାଇଁ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୫୦ ଟଙ୍କା, ଇଷ୍ଟ ଷ୍ଟାଣ୍ଡ ୧୦୦ ଟଙ୍କା ଓ ଓ୍ବେଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଦର୍ଶକଙ୍କୁ ସ୍ବାଗତ: ଦିଲୀପ

”ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ପାଇଁ ଆମେ ଦର୍ଶକଙ୍କୁ କଳିଙ୍ଗ ଷ୍ଟାଡିୟମକୁ ସ୍ବାଗତ କରୁଛୁ। କୋଭିଡ-୧୯ କଟକଣା ଉଠି ଯାଇଥିବାରୁ ପୂରା ସଂଖ୍ୟାରେ ଦର୍ଶକ ଆସି ମ୍ୟାଚ ଉପଭୋଗ କରିବେ ବୋଲି ଆମେ ଆଶା କରୁଛୁ। ଆଗକୁ ହକି ବିଶ୍ୱକପ ଅସୁଥିବାରୁ ଏଠାରେ ସ୍ପେନ୍‌ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ମ୍ୟାଚ ଖେଳିବା ବହୁତ ଭଲ କଥା। ଏହା ଏକ ପୂର୍ବ ପ୍ରସ୍ତୁତି ସ୍ବରୂପ ହେବ। ଭ୍ରମଣକାରୀ ଦଳ ଗୁଡ଼ିକୁ ସ୍ବାଗତ କରିବାକୁ ଆମେ ପ୍ରସ୍ତୁତ“ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି।

Share