ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ ସୁବିଖ୍ୟାତ। ଭାରତୀୟ ସାହିତ୍ୟକୁ ନିଜର ଅବିସ୍ମରଣୀୟ ଅବଦାନ ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଫେଲୋଶିପ୍ ଓ ‘ପଦ୍ମଭୂଷଣ’ ସମ୍ମାନରେ ବିଭୂଷିତ। ଅବିଭକ୍ତ ପୁରୀ ଜିଲାର ବିଶ୍ୱନାଥପୁର ଗ୍ରାମରେ ୨ ଜୁଲାଇ ୧୯୦୧ରେ ଜନ୍ମିତ କାଳିନ୍ଦୀ ଥିଲେ ଜଣେ ଉଚ୍ଚାଙ୍ଗ ବ୍ୟକ୍ତିତ୍ୱ। ଏଠାରେ ତାଙ୍କ ସାହିତ୍ୟ ସୃଷ୍ଟିର କିୟଦଂଶ ଅବତାରଣା କରାଯାଉଛି ତାଙ୍କ ଜନ୍ମଦିନ ଅବସରରେ…
”ବୁଝିଲ ବାବୁ ! ବିଶ୍ୱନାଥପୁର ନୁହେଁ ଯେ ବିଷମପୁର, ଏ ଗାଁକୁ ସାହାବ ଟିକାଦିଆ ନ ଆସିଲେ ଆଉ କିଏ କ’ଣ ପାରନ୍ତା କି ?“
ସ୍କୁଲ ମାଷ୍ଟର ନରସିଂହପୁର ଗାଁର ଲୋକନାଥ ମିଶ୍ରଙ୍କ ଟିପ୍ପଣୀ ଶୁଣି ବାଞ୍ଛା କକେଇଙ୍କ ଛାତି କୁଣ୍ଢେମୋଟ ହୋଇଯାଏ ା ପାନଖିଆ ପାଚିଲା ଦାନ୍ତ ଦେଖାଇ ସେ କହନ୍ତି, ”ହଁ ମାଷ୍ଟ୍ରେ, ଏ ଗାଁଆର ସବୁ ଛୁଆ ପରା ବିଛୁଆତି, ବିଶ୍ୱନାଥପୁର ଛୁଆଙ୍କୁ ସାଧ୍ୟ କରିବା ସହଜ ନୁହେଁ। ଗୋରା ସାହେବ ନ ଆସି ଆଉ କିଏ ଆସିଥିଲେ ଦେଖିଥାନ୍ତ, କ’ଣ ହୁଅନ୍ତା। ଯେତେହେଲେ ପରା ବିଲାତୀ ଲୋକ ସେ।“
ଖୁବ୍ ବେଶି ଡେଙ୍ଗା ନୁହେଁ କି ଗେଡ଼ା ନୁହେଁ, ବରଂ ଉଚ୍ଚରେ କମ୍, ଲମ୍ୱରେ ଅଧିକ। ଆଖି ଯୋଡ଼ିକ ଟିକିଏ ବଡ଼ ବଡ଼ ଆଉ ବେଶ୍ ଉଜ୍ଜ୍ୱଳ। ସେଇ ଆଖିରେ ଯେମିତି ସେ ଖାଲି ସବୁରି ବାହାରକୁ ତ ଦେଖେ ନାହିଁ, ଚିହ୍ନିପାରେ ତାଙ୍କ ଭିତରକୁ ସୁଦ୍ଧା। ମୋ ଭିତରକୁ ସେ ଏମିତି ଚିହ୍ନି ପକେଇଥିଲା ଯେ, ବୋଧହୁଏ ସେମିତି ଆଉ ଆଜିଯାକେ କେହି ପାରିନି। ସେଥିପାଇଁ ତା’ର ସେ ଚିହ୍ନାକୁ ମୁଁ ଯେବେ ଗ୍ରାସ କରି ପକେଇଥିଲି ବୋଲି କହେଁ, ତେବେ ବୋଧହୁଏ ଠିକ୍ ହୋଇପାରେ। ତା’କଥା ଲେଖିଲାବେଳେ ତା’ର ସେଇ ଆଖିଯୋଡ଼ାକ ଏବେ ବି ଯେମିତି ଢଳଢଳ ଛଳଛଳ ହୋଇ ଚାହିଁଛି! ନଇଲେ ତାକୁ ମୁଁ ପାସୋରି ପାରିନି ଆଜିଯାକେ କାହିଁକି?
ହଁ, ଆଜିଯାକେ ପ୍ରାୟ ଷାଠିଏ ବର୍ଷ ପରେ ସୁଦ୍ଧା! ମୋର ସେଇ ଆହାର ବିହାର ଶୟନ ସ୍ୱପନର ସାଥୀ। ମୋ ଜୀବନର ତ ସେଇ ଖାଲି ସତ୍ୟ ନୁହେଁ, ଶିବ ଆଉ ସୁନ୍ଦର। ଯାହାକୁ ଆମରଣ ଅତିକ୍ରମ କରିଯିବା ମୋହ ପକ୍ଷରେ ଅସମ୍ଭବ- ଅସମ୍ଭବ ଏଇ ବିରାଟ ସଂସାର-ଜଞ୍ଜାଳ ମଧ୍ୟରେ ସୁଦ୍ଧା।
ସେହି ମୋର ପିଲା ବୟସର ଚିର ସହଚର ଟିପି! ରଙ୍ଗଟି ତା’ର କସରା, ରୁମଗୁଡ଼ିକ କଅଁଳ, କାନଯୋଡ଼ିକ ଲମ୍ୱ। ଟିକିଏ କେଉଁଠି ଖୁଡ଼୍ଖାଡ଼୍ ହେଲେ ସେଇ କାନଯୋଡ଼ିକ ଠିଆ ହୋଇଯାଏ ଯେମିତି ଅବା ଆପେ ଆପେ। ଆଉ ମୋ ମୁହଁରୁ ‘ଟିପି’ ବୋଲି ବାହାରି ପଡ଼ିବା କ୍ଷଣି ଝାଉଁଳିପଡ଼େ ଲାଜକୁଳୀ ଲତା ଭଳି ଅବିକଳ।
ବାପା ତାହାକୁ ମୋରି ପାଇଁ ଆଣି ଦେଇଥା’ନ୍ତି ପୁରୀରୁ। ତାଙ୍କୁ କେବେହେଲେ ମୁଁ ମାଗିଥିଲି ବୋଲି ତ ମନେପଡ଼ୁନି। ତା’ ଆଗରୁ କଙ୍କି ଧରି ତା’ ପଛରେ ସିଜୁ ଅଠାରେ ଘାସପତ୍ର ଯୋଡ଼ି ଉଡ଼ାଇବା, ନାନାରଙ୍ଗ ପ୍ରଜାପତି ପଛରେ ଗୋଡ଼ାଇବା, ସାଧବବୋହୂ ପୋକ ଗୋଟାଇ ସିନ୍ଦୂର ଫରୁଆରେ ସାଇତିବା, ବଣି ଚଢ଼େଇଛୁଆକୁ ଧରି ପଞ୍ଜୁରି ଭିତରେ ପୋଷିବା ଥିଲା ମୋ’ର କୌତୂହଳ ଆଉ ଆଗ୍ରହର ସାମଗ୍ରୀ।
ଏଣିକି ସବୁ କାମରେ ଟିପି ହେଲା ମୋ’ର ଚିର ସହଚର। ତା’ର ଖିଆପିଆ, ଗାଧୁଆପାଧୁଆ ସବୁ କାମ ମୁଁ ତନଖି କରେଁ। ସେ ବି ସେମିତି ସକାଳୁ ମୋର ଶେଯରୁ ଉଠିବାବେଳୁ ରାତିରେ ଶୋଇବାକୁ ଯିବାଯାକେ ଲାଗିରହିଥାଏ ପାଖେ ପାଖେ। ଯେଉଁଠି ତାକୁ ବସିରହିବାକୁ କହିଥିବି, ସେଇଠି ଜଗିଥିବ ସେ। ଆଉ ଯେତେ ଯେ କହୁ, ଟିପେ ସେଠାରୁ ସେ ଚଳିବ ନାହିଁ ମୋ’ର ହୁକୁମ ନ ପାଇବାଯାକେ। ପୁଣି ମୋ ମୁହଁରୁ ‘ଟିପି’ ‘ଟିପି’ ଡାକ ବାହାରିବାକ୍ଷଣି ଯେଉଁଠି ଥାଉ, ତୀର ବେଗରେ ଚମକି ଆସିବ ଅବା ରଙ୍ଗମଞ୍ଚରେ ପାତ୍ର-ପାତ୍ରୀଙ୍କ ଆବିର୍ଭାବ ଭଳି। ତା’ପରେ ନାଚି ନାଚି ଲାଙ୍ଗୁଳ ହଲେଇବ- ତା’ର ସେଇ ଚଅଁର ଭଳି ଝାମ୍ପୁଲା ଲାଙ୍ଗୁଳଟିକି। ଆଉ ମୋ’ରି ମୁହଁକୁ ଚାହିଁବ ଅନାବିଳ ଅସରନ୍ତି ସ୍ନେହ ବିଶ୍ୱାସ ଆସ୍ଥା ପୂରି ରହିଥିବା ବଡ଼ ବଡ଼ ଡୋଳାଯୋଡ଼ିକରେ। ଆଜି ବି ଏଇ ମୁହୂର୍ତ୍ତରେ ଯେମିତି ଅବା ସେ ଚାହିଁ ରହିଛି ମୁହଁକୁ ମୋ’ର।
ପ୍ରାୟ ଷାଠିଏ ବର୍ଷ ପରେ ସୁଦ୍ଧା ସେଇ ମୁହଁ ଆଉ ଢଳଢଳ ଡୋଳାଯୋଡ଼ିକ ମୋ’ ଆଖିରେ ଅବା ନାଚୁଛି। ଆଜି ମଧ୍ୟ ଟିପି ପାଇଁ ମୋ’ର ମନ ଭିତରେ ଗୋଟାଏ ଭେକମ୍ ରହିଯାଇଛି, ଯେଉଁ ଭେକମ୍ରେ ଆଉ କାହା କଥା କ’ଣ କହିବା, ପବନର ସୁଦ୍ଧା ସ୍ଥାନ ନାହିଁ- ବାୟୁଶୂନ୍ୟ ଆକାଶ- ମହାଶୂନ୍ୟ ଅନ୍ତରୀକ୍ଷ- ଯାହାକୁ ପାର ହୋଇ ମଣିଷ ଆଜି ଚନ୍ଦ୍ରଲୋକରେ ପହଞ୍ଚିଲା! ଅଥଚ ଟିପି ଯେଉଁ ଭେକମ୍ ରଖିଗଲା ମୋ’ର ମନଗହନରେ ତାକୁ କେବେହେଲେ ପାର ହେବାକୁ ମୁଁ ଯେ ନିରୁପାୟ, ନିଃସହାୟ! ସତ କହିଲେ, ଟିପି ଭଳି ମୋତେ ଏମିତି ଖାତିର୍ ଆଉ କେହି କେଉଁଠି ସେତେବେଳେ କରୁ ନ ଥିଲେ। ଆଜିଯାକେ ବି କରନ୍ତିନି ତ! ସେଇଥିପାଇଁ ସେ ଥିଲା ମୋ’ର ସର୍ୱୋତ୍ତମ ଗର୍ୱ। ଖାଲି ତ ସେ ଖାତିର କରେ ନାହିଁ- ତା’ ଭଳି ଏତେ ଭଲ ମୋତେ ଆଉ କିଏ କେବେ ପାଇଛି କି ପୂରାପୂରି ନିଃସ୍ୱାର୍ଥ ଭାବରେ, ଟିକିଏ ସୁଦ୍ଧା ପ୍ରତ୍ୟାଶା ନରଖି। ପୁଣି ମୁଁ ବି ତା’ଠାରୁ ଆଉ ବେଶି ଭଲ କାହାକୁ ପାଇଛି- ଭଲ କରି ଠିକେ ଠିକେ ତାହା ବୁଝିପାରିବା ମୋ ପକ୍ଷରେ ଭାରି କଷ୍ଟକର।
ବୋଉ ବାପା ଯେ ତାଙ୍କ ପୁଅ ଝିଅ ନାତୁଣୀ କାହାକୁ ବେଶି କାହାକୁ କମ୍ ଭଲ ପାଆନ୍ତି- ବୁଝିବା ମୁସ୍କିଲ; ସେମିତି ସ୍ତ୍ରୀ ପୁଣି ପୁତ୍ରକନ୍ୟା ବନ୍ଧୁମାନେ ମଧ୍ୟ। ମାତ୍ର ଟିପିର ଭଲପାଇବା ଯେମିତି ଅବା ଅହେତୁକ। ଆଜି ମଧ୍ୟ ମନ ଧାଇଁଛି ସେଇ ମୋର ନଅ ଦଶ ବର୍ଷ ବୟସ ପଛକୁ ଲେଉଟିଯିବା ପାଇଁ, ଆଉ କାହାରିକି ନ ହେଲେ ସୁଦ୍ଧା ଟିପିକୁ ଥରେ ଭେଟିବା ପାଇଁ। ଭେଟିବା ପାଇଁ ସେଇ ତା’ର ଅସୀମ ପ୍ରାଣ-ପ୍ରେମପୂର୍ଣ୍ଣ ଢଳଢଳ ଛଳଛଳ ଉଜ୍ଜ୍ୱଳ ଡୋଳାଯୋଡ଼ିକୁ।
ଯିବା ବାଟକୁ ମୋ’ର ଓଗାଳି ବସି ତା’ର ସେଇ ସରୁ ସରୁ ଆଗ ଦୁଇଗୋଡ଼କୁ ନମସ୍କାର କଲାଭଳି ତଳେ ଥୋଇବା ଭଙ୍ଗିଟିକି, ପଛପଟ ଝଙ୍କା ଲାଙ୍ଗୁଡ଼କୁ ଗୋଲିଆକରି ମୋଡ଼ି ମୁହଁକୁ ମୋର ଗଭୀର ସ୍ନେହ ଦୃଷ୍ଟିରେ ସେଇ ଚାହିଁ ରହିବା ଠାଣିରେ ଯେମିତି ଅଟକି ଯାଇଛି ଚିର ଚଞ୍ଚଳ ଅସୀମ ସମୟ!
କୁଆଡ଼େ ଟିକିଏ ଘର ଛାଡ଼ି ପଦାକୁ ମୁଁ ପାଦ କାଢ଼ିବାକ୍ଷଣି କାହୁଁ ଚମକି ଆସି ବାଟ ଓଗାଳି ନ ଛାଡ଼ିବା ଭଙ୍ଗୀରେ ତା’ର ଅଳି, କେତେବେଳେ ମୋ’ର ଦି’ ଗୋଡ଼ ମଝିରେ ପଶି ଛନ୍ଦି ପକାଇବ, ନଇଲେ ଆଗରେ ସେମିତି ବସିପଡ଼ି ଲାଙ୍ଗୁଡ଼ ପିଟିବ ମୁହଁକୁ ମୋ’ର ଚାହିଁ। ତା’ ପାଖରେ ପୁଣି ଗଁା ଗୋଟାକର କୁକୁରମାନଙ୍କର କି ଯେ ଖାତିର, କି ଯେ ସମ୍ଭ୍ରମ! ସେମାନେ ସମସ୍ତେ ଯେମିତି କି ତା’ର ବଚସ୍କର।
ଟିପି ଖାଲି ଗୋଟିଏ ଥର ଚାହିଁଦେଲା କି ଗୋଟିଏ ଥର ଭୁକିଦେଲା- ବାସ୍ ସେତିକି ଯଥେଷ୍ଟ। ଗଁାଟାର ସବୁ କୁକୁର, କିଏ ବୁଦାମୂଳରେ, କିଏ ପୋଖରୀ ହୁଡ଼ାରେ, କିଏ ରାସ୍ତା କଡ଼ରେ ମୁଣ୍ଡ ନୁଅଁାଇ ଲାଙ୍ଗୁଳ ହଲାଇ ଧୀରେ ଧୀରେ ଆଗ କିଛିବାଟ ସନ୍ତର୍ପଣରେ ଚାଲି ତା’ ପରେ ଦେ ଚମ୍ପଟ୍। ମୋ ପାଇଁ ଭାତ ବଢ଼ା ହୋଇଥିବ, ଟିପି ଭୟରେ କେଉଁ ବିରାଡ଼ିର ସାହସ ଅଛି ଭାତଥାଳିର ପାଖ ମାଡ଼ିବାକୁ ପୁଣି! ଟିପି ନ ଥିବାବେଳେ ଯେତେ ବିରାଡ଼ି ଭାତଥାଳି ପାଖରେ ନଡ଼ବଡ଼ ହେଉଥିବେ, ତା’ର ପାଦଶବ୍ଦ ଶୁଣିବାକ୍ଷଣି କିଏ କୁଆଡ଼େ ଭାଗିସ୍। ଗୋରୁ ଗାଈ କୁକୁର ବିରାଡ଼ିଠାରୁ ଆରମ୍ଭ କରି ମଣିଷଯାକେ କିଏ ଯେ ନ ଡରେ ଟିପିକୁ!
ଘରେ ମୋର ବୋଉ ପୁଣି ଆଉ ସମସ୍ତେ ବି ଭାରି ସୁଖ ପାଉଥିଲେ ତାକୁ, ଅକ୍ଷୟତୃତୀୟା ସକାଳେ ଶଙ୍ଖୁଆର ଶଙ୍ଖଶବ୍ଦ ଭିତରେ ଶ୍ରୀନିବାସ ଅବଧାନଙ୍କର ମଧୁରକଣ୍ଠ ”ମଙ୍ଗଳମ୍ ଭଗବାନ୍ ବିଷ୍ଣୋ ମଙ୍ଗଳମ୍ ମଧୁସୂଦନ“ ସ୍ୱରଟି ଯୋଡ଼ି ହୋଇଥାଏ ା ବିଲକୁ ଚିତ୍ର ହୋଇଥିବା ଅଖିମୁଠି ଧାନବେତା ଉପରେ ନାସିଲଗା ନଡ଼ିଆ ଥୁଆହୋଇ ସଭା ଉପରେ ନାଲି-ପାଟ ସଜାଇ ବିଲକୁ ବୁହାହୁଏ ା