ଶୋଭା ବଢ଼ାଉଛି ସମୁଦ୍ର ମନ୍ଥନ

ଢେଙ୍କାନାଳ ଅଫିସ, ୧୫।୧୦: ଢେଙ୍କାନାଳ ସହର ଦକ୍ଷିଣକାଳୀ ରୋଡ୍‌ ଅଞ୍ଚଳରେ ଥିବା କାଳିକାନଗର ପୂଜା ପ୍ରତିଷ୍ଠାନ ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରୁଛି ସୁବର୍ଣ୍ଣ ଜୟନ୍ତୀ ସମାରୋହ। ପୌରାଣିକ କାହାଣୀ ଆଧାରରେ ମୃଣ୍ମୟୀ ପ୍ରତିମା ନିର୍ମାଣ ଏବଂ ନିଆରା ସାଜସଜ୍ଜା କରି ସବୁବେଳେ ଚର୍ଚ୍ଚରେ ରହି ଆସିଥିବା ଏହି ପୂଜା ପ୍ରତିଷ୍ଠାନରେ ଚଳିତବର୍ଷ ‘ସମୁଦ୍ର ମନ୍ଥନ’ ଦୃଶ୍ୟକୁ ଅବତାରଣା କରାଯାଇଛି। ଏଥିରେ ମା’ ଲକ୍ଷ୍ମୀଙ୍କ ଆବିର୍ଭାବ, ଦେବରାଜ ଇନ୍ଦ୍ର, ସଚ୍ଚି କିଭଳି ମା’ଙ୍କୁ ସ୍ବର୍ଗପୁରକୁ ନେବା ପାଇଁ କିପରି ଆବାହନ କରୁଛନ୍ତି, ତାହାକୁ ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି।
୧୯୭୨ରେ କାଳିକାନଗର ପ୍ରତିଷ୍ଠାନରେ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା। ସେତେବେଳେ ଖର୍ଚ୍ଚ ହୋଇଥିଲା ମାତ୍ର ୭୦୦ ଟଙ୍କା। ଏବେ ପୂଜାର କଳେବର ବଦଳିଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ଚଳିତବର୍ଷ ପୂଜା ପ୍ରତିଷ୍ଠାନ ସୁବର୍ଣ୍ଣ ଜୟନ୍ତୀ ପାଳୁଛି। ଏହି ଉପଲକ୍ଷେ ୧୧ରୁ ୧୭ ତାରିଖ ଯାଏ ଆୟୋଜିତ ହେଉଛି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଗୁରୁବାର ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ୨୦୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ରଙ୍ଗିନ ଆଲୋକମାଳା, ଆଖି ଝଲସାଇବା ଭଳି ସାଜସଜ୍ଜା ଅନ୍ୟତମ ଆକର୍ଷଣ ପାଲଟିଥିବାବେଳେ ମା’ଙ୍କ ସନ୍ଧ୍ୟା ଦର୍ଶନ ପାଇଁ ମଣ୍ଡପରେ ପ୍ରବଳ ଭିଡ଼ ହେଉଛି।

କର୍ମକର୍ତ୍ତାଙ୍କ ମଧ୍ୟରେ ବିପୁଳ ଉତ୍ସାହ
ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ କର୍ମକର୍ତ୍ତାଙ୍କ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଛି। ଅଞ୍ଚଳବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିଛି ।
-ଭାବଗ୍ରାହୀ ପଣ୍ଡା, ସମ୍ପାଦକ

ଦୁଇବର୍ଷର ଦୁଃଖ ଲାଘବ ହୋଇଛି
ମହାମାରୀ କରୋନା ପାଇଁ ଲକ୍ଷ୍ମୀପୂଜା ଫିକା ପଡ଼ିଥିଲା। ସ୍ଥିତି ବଦଳିବା ପରେ ଆଡମ୍ବରରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି। ଦୁଇବର୍ଷର ଦୁଃଖ ଲାଘବ ହୋଇଛି।
-ହୃଷୀକେଶ ମହାନ୍ତି, ଆବାହକ