କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ, ଝୁଲିଝୁଲି ଧାଡ଼ି ପହଣ୍ଡିରେ ଆସୁଛନ୍ତି ମହାବାହୁ

ପୁରୀ,୧୬ା୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଗୁରୁବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ ସମସ୍ତେ ଅପେକ୍ଷା କରି ରହିଥିଲେ ମହାପ୍ରଭୁ କାଳିଆ ସାଆନ୍ତଙ୍କୁ। ଭାଇଭଉଣୀଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିବେ। ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ରଥାରୂଢ଼ ଦାରୁଦିଅଁଙ୍କ ଦର୍ଶନ କରି କୃତାର୍ଥ ହେବେ ଭକ୍ତ।

ତେବେ କାଳିଆ ସାଆନ୍ତ ସେହି ଭକ୍ତମାନଙ୍କୁ ଦର୍ଶନ ଦେବା ଲାଗି ଆଜି ରତ୍ନସିଂହାସନରୁ ଓହ୍ଲାଇ ଝୁଲିଝୁଲି ଧାଡ଼ି ପହଣ୍ଡିରେ ଆସୁଛନ୍ତି। ଏହା ପରେ ମହାବାହୁ ସିଂହଦ୍ୱାର ସମ୍ମୁଖରେ ଉଭା ହୋଇଥିବା ନନ୍ଦିଘୋଷ ରଥରେ ବିରାଜମାନ କରିବେ।

ପ୍ରଥମେ ପ୍ରଭୁ ଚକ୍ରରାଜ ସୁଦର୍ଶନ, ପରେ ପ୍ରଭୁ ବଳଦେବ ଏବଂ ମା’ ସୁଭଦ୍ରା ପହଣ୍ଡି ବିଜେ ହୋଇ ରଥାରୂଢ଼ ହୋଇସାରିଛନ୍ତି।

ଏହି କ୍ରମରେ ପରମ୍ପରା ଅନୁଯାୟୀ, ବୁଧବାର ପ୍ରତିପଦା ତିଥିରେ ରଥଖଳାରୁ ତିନିରଥ ଟଣାହୋଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଆସିଥିଲା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳଧୂପ ସମ୍ପନ୍ନ ହେବା ପରେ ଅପରାହ୍ନ ୧ଟା ୧୦ରେ ରଥ ନିକଟକୁ ଆଜ୍ଞାମାଳ ବିଜେ ହୋଇଥିଲା। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରାଯାଇଥିଲା। ଭୋଇ ସେବକମାନେ ରଥରେ ଦଉଡ଼ି ସଂଯୋଗ କରିଥିଲେ। ତାଳଧ୍ୱଜ ରଥରେ ବିଜେ କାହାଳୀ ଦିଆଯିବା ପରେ ପରମ୍ପରା ଅନୁଯାୟୀ, ପ୍ରଥମେ ନନ୍ଦିଘୋଷ ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିଲା। ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚାଯାଇଛି। ସିଂହଦ୍ୱାର ସମ୍ମୁଖରେ ଲାଗିବା ପରେ ତିନିରଥ ଚାରିପଟେ ପୋଲିସ ପକ୍ଷରୁ ଲୁହା ବ୍ୟାରିକେଡ୍‌ ଦ୍ୱାରା ଆବଦ୍ଧ କରାଯାଇଛି। ରଥଯାତ୍ରା ପାଇଁ ପୁରୀ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।
ଅପରପକ୍ଷରେ ତିନି ରଥରେ ଶ୍ରୀବିଗ୍ରହଙ୍କ ରୁନ୍ଧା ଏବଂ ଗଜପତି ଛେରାପହଁରା କରିବା ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ବହୁ ସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨୨୦ ପ୍ଲାଟୁନ ଫୋର୍ସଙ୍କ ସମେତ ୧୨ ହଜାର ପୋଲିସ ନିୟୋଜିତ ହେବେ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Dharitri – Odisha’s No.1 Odia Daily

Share