ମେଲୋଡ଼ି, ମୀନାବଜାର ମୁଖ୍ୟ ଆକର୍ଷଣ

ସୋନପୁର,୨୦।୯(ନି.ପ୍ର.): ସୋନପୁର ମଝିପଡା ସ୍ଥିତ ରାମଧୂନ କ୍ଲବ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ୫୪ତମ ସାର୍ବଜନୀନ କାଳୀପୂଜା ମହୋତ୍ସବ ପାଇଁ ରାମଜୀ ମନ୍ଦିରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗତ ବର୍ଷ ପୂଜା ପାଇଁ ଆୟ ଓ ବ୍ୟୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଚଳିତବର୍ଷ ପାଇଁ ପୂଜା କମିଟିର ସଭାପତି ସୁରଜ କୁମାର ସାହୁ, ଉପସଭାପତି ବୁବୁନ ନାଏକ, ସମ୍ପାଦକ ପୁରେନ୍ଦ୍ର ନାଏକ ଓ କୋଷାଧ୍ୟକ୍ଷ ଭାବେ ରାଜୀବ କୁମାର ସାହୁଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ସେହିପରି ନୂତନ ଭାବେ ସାଂସ୍କୃତିକ କମିଟି ଓ ଭୋଗ କମିଟି ଗଠନ ହୋଇଥିଲା। ପୂଜା ମହୋତ୍ସବରେ ୭ଦିନ ଧରି ମେଲୋଡି କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ବିଶେଷ ଆକର୍ଷଣ ଭାବେ ହାତୀଶାଳ କଲ୍ୟାଣ ମଣ୍ଡପରେ ଅକ୍ଟୋବର ୨୪ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ମୀନାବଜାର ବସିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୬ରେ ମା କାଳୀଙ୍କ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବ। ସ୍ଥାନୀୟ କାଳୀ ପୂଜା ମହୋତ୍ସବ ବହୁ ପୁରୁଣା ହୋଇଥିବାରୁ ପୂଜାକୁ କିପରି ଅଧିକ ଆକର୍ଷଣୀୟ କରା ଯାଇପାରିବ ସେ ନେଇ ବିଶଦ ଆଲୋଚନା ହୋଇଥିଲା। କାଳୀଙ୍କ ରୂପା ମୁକୁଟ ଠାରୁ ଆରମ୍ଭ କରି ତୋରଣ, ଆଲୋକ ସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତି ସନ୍ଧ୍ୟାରେ ଆଳତୀ ଓ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବିଷୟରେ ବୈଠକରେ କ୍ଲବ ସଦସ୍ୟ ଓ ମଝିପଡାର ଅଧିବାସୀ ଆଲୋଚନା କରିଥିଲେ ।