ପ୍ରଶାସନର ଦୃଷ୍ଟି ଆଢୁଆଳରେ ଶତାୟୁ ମହିଳା

ପ୍ରୀତିପୁର,୨୯ା୮(ଡି.ଏନ.ଏ.): ସରକାର ଦରିଦ୍ର, ଭିନ୍ନକ୍ଷମ, ନିଆଶ୍ର୍ରୀ ଓ ଅସହାୟଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଥଇଥାନ କରୁଛନ୍ତି। ସେମାନଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ହେଲେ କେତେକ କ୍ଷେତ୍ରରେ ସରକାରୀ ଉଦାସୀନତା ଯୋଗୁ ବହୁ ଯୋଗ୍ୟ ହିତାଧିକାରୀ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଉଛନ୍ତି, ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ବିଞ୍ଝାରପୁର ବ୍ଲକ ଅଧୀନ ଅଳକୁଣ୍ଡ ପଞ୍ଚାୟତ ଦେବାନପାଟଣା ବନ୍ଧସାହିର ସ୍ବର୍ଗତ ଅନନ୍ତ ଜେନାଙ୍କ ସ୍ତ୍ରୀ ଶତାୟୁ କାଳୀ ଜେନାଙ୍କ କ୍ଷେତ୍ରରେ। ପୁଅ ଦୀର୍ଘଦିନ ଧରି ମା’ଙ୍କଠାରୁ ପୃଥକ ରହୁଥିବାବେଳେ ମା’ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଭିକ୍ଷାବୃତ୍ତିକୁ ଆପଣାଇ ନେଇଛନ୍ତି। ହେଲେ ତାଙ୍କ ନିକଟରେ ଘର ଖଣ୍ଡିଏ ନାହିଁ। ସରକାରଙ୍କ ଆବାସ ଯୋଜନା ତାଙ୍କ ନିକଟରେ ଅପହଞ୍ଚ ହୋଇଛି। ବାର୍ଦ୍ଧକ୍ୟ ଭତ୍ତା ହିଁ ତାଙ୍କର ଏକମାତ୍ର ସମ୍ବଳ। ଚଳିତ ଲଘୁଚାପ ବର୍ଷାରେ ତାଙ୍କ ଝାଟିମାଟି ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ହେଲେ ଏହାକୁ ମରାମତି କରିବା ପାଇଁ ତାଙ୍କର ସମ୍ବଳ ନାହିଁ। ସେହି ଭଙ୍ଗା ଘର ହିଁ ତାଙ୍କ ପାଇଁ ଆଶ୍ରୟ ପାଲଟିଛି। ତେଣୁ ପ୍ରଶାସନ ତରଫରୁ ତାଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାପାଇଁ ସେ ନିବେଦନ କରିଛନ୍ତି।