ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍ ବର୍ଷାପବନ ଯୋଗୁ ଟୁରି ଭେଜିଗୁଡା ଗ୍ରାମର ପଟାଦେଈ ମାଝୀ, ଲାଲୁ ମାଝୀ, ଜଗଦୀଶ ମାଝୀ, ପବିତ୍ର ମାଝୀ, ମଙ୍ଗଳୁ ମାଝୀ, ସମରୁ ମାଝୀ ଓ ଅମରସିଂ ମାଝୀଙ୍କ ଘରର ଆଜବେଷ୍ଟସ୍, ଟିଣ ଓ ଚାଳ ଛପର ଉଡ଼ିଯାଇ କାନ୍ଥଗୁଡ଼ିକ ମାଟିରେ ମିଶିଯାଇଛି। ସେହିପରି ଝୁଡୁଙ୍ଗିଜୋର ଗ୍ରାମର ଗୋବିନ୍ଦ ନାଏକ, ସୁମିତ୍ର ନାଏକ, ନକୁଳ ମାଝୀ ଓ ନାରାୟଣ ମାଝୀଙ୍କ ଘରଛାତ ଉଡ଼ିଯିବା ଫଳରେ ଗଚ୍ଛିତ ଥିବା ଚାଉଳ, ଶୁଖିଲା ଖାଦ୍ୟ ସହ ଆସବାବପତ୍ର ନଷ୍ଟ ହୋଇଯାଇଛି। ଅନେକ ପରିବାର ଏବେ ଖୋଲା ଆକାଶ ତଳେ ପଡିରହିଛନ୍ତି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବହୁ ପୁରାତନ ଗଛ ଉପୁଡ଼ି ପଡ଼ିବା ସହ ଡାଳ ଭାଙ୍ଗି ମୋହନଗିରୀ-ନାକୁରୁଣ୍ଡି ମୁଖ୍ୟ ରାସ୍ତା ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଯାତାୟାତ ବ୍ୟାହତ ହୋଇପଡ଼ିଛି। କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ସହ ତାର ଛିଣ୍ଡି ପଡ଼ିଥିବାରୁ ନାକୁରୁଣ୍ଡି ଅଞ୍ଚଳ ଅନ୍ଧାରରେ ରହିଛି। ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଯାଇଛି।
ସ୍ଥାନୀୟ ପ୍ରଶାସନ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ ସହ ବିପନ୍ନ ପରିବାରକୁ ପଲିଥିନ, ଶୁଖିଲା ଖାଦ୍ୟ ଏବଂ ଆର୍ଥିକ ସହାୟତା ଯୋଗାଇଦେବା ଦାବି ହୋଇଛି।