କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନରଣପୁରରେ ଅଭାବନୀୟ ଘଟଣା ଘଟିଯାଇଛି । ପ୍ରଚଣ୍ଡ ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ଜଣଙ୍କ ମୃତ୍ୟୁ ହୋଇଛି । ଘରର ଛାତ ଉପରେ ଟେଣ୍ଟ ମାରି ଶୋଇଥିବା ବେଳେ ଭୁଶୁଡ଼ିପଡିଥିଲା । ଫଳରେ ତିନିଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି।
ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ୨ ଟାରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଟେଣ୍ଟ ଭିତରେ କର୍ମଚାରୀମାନେ ବିଶ୍ରାମ ନେଉଥିଲେ। ପ୍ରଚଣ୍ଡ ପବନରେ ଟେଣ୍ଟ ଭୁଶୁଡ଼ିବାରୁ ସେମାନେ ଚାପି ହୋଇ ଯାଇଥିଲେ । ଫଳରେ ଟେଣ୍ଟର ବାଉଁଶ ଓ କପଡ଼ା ସେମାନଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ଶ୍ୱାସରୁଦ୍ଧ୍ ହେବ ସହ ବାଉଁଶ ମାଡ଼ରେ ସେମାନେ ଗୁରୁତର ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ।
ଦମକଳ ଗାଡ଼ି ପହଞ୍ଚି ଦୀର୍ଘ ସମୟ ଉଦ୍ୟମ କରିବା ପରେ ୪ଜଣଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ । ଖବର ଲେଖାଯିବା ସୁଦ୍ଧା ସେମାନଙ୍କ ସଠିକ୍ ପରିଚୟ ମିଳିନାହିଁ । ସେମାନେ ସ୍ଥାନୀୟ ଏକ ଟେଣ୍ଟ ମାଲିକ ଅଧୀନରେ କାମ କରୁଥିଲେ ବୋଲି ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।