କୋଭିଡ ନିୟମ ଉଲ୍ଲଘଂନ କରି କଳସ ଶୋଭାଯାତ୍ରା: ଥାନାରେ ମାମଲା

ପଟ୍ଟାମୁଣ୍ଡାଇ,୧୩।୭(ସ୍ବ.ପ୍ର)-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ବଳଭଦ୍ରପୁର ଗ୍ରାମରେ ଗ୍ରାମଦେବତୀଙ୍କ ପ୍ରତିଷ୍ଠା ଉତ୍ସବରେ କୋଭିଡ ନିୟମ ଉଲ୍ଲଘଂନ ହୋଇଥିବା ନେଇ ରବିବାର ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ଗ୍ରାମର ୪ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଥିଲା। ଏ ନେଇ ସୋମବାର ପଟ୍ଟାମୁଣ୍ଡାଇ ଥାନାରେ କେସ ନଂ . ୨୫୩/୨୦ରେ ମାମଲା ରୁଜୁ ହୋଇଛି।
ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ଥାନା ବଳଭଦ୍ରପୁର ଗ୍ରାମର ଗ୍ରାମଦେବତୀଙ୍କ ମନ୍ଦିରର ନୂତନ ମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ କଳସ ଶୋଭାଯାତ୍ରାରେ ଶତାଧିକ ଲୋକ ସାମିଲ ହୋଇଥିଲେ। ସାମାଜିକ ଦୂରତା ରକ୍ଷା ନ କରି ଲୋକେ ଏକତ୍ରିତ ହୋଇଥିଲେ। ଏହାର ଏକ ଭିଡିଓ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା। ପରେ କେନ୍ଦ୍ରାପଡା ଏସ୍‌ପି ନୀତି ଶିଖର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଟ୍ଟାମୁଣ୍ଡାଇ ପୋଲିସକୁ ଦେଇଥିଲେ।