ଧୁମ୍‌ଧାମ୍‌ରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଝାମୁଯାତ୍ରା, କଣ୍ଟା ଦୋଳି ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼

ଥୁଆମୂଳ ରାମପୁର,୧୯।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ କୋଷାବରା ଝାମୁଯାତ୍ରା ପୂଜା କମିଟି ଆନୁକୂଲ୍ୟରେ ଚଳିତ ବର୍ଷର ଦୀପାବଳି ପର୍ବ ତଥା ବାବା ଭୈରବ ଦେବ ଓ ମାଁ ଡୋକରି ଦେବୀଙ୍କ ପ୍ରସିଦ୍ଧ ଝାମୁଯାତ୍ରା ମଙ୍ଗଳବାର ମହା ଆଡମ୍ବରରେ ସମ୍ପନ୍ନ ହୋଇଯାଇଛି । ପାରମ୍ପରିକ ରୀତିନୀତି ଏବଂ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ଏହି ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳ ସମେତ ପଡ଼ୋଶୀ ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟ ଜିଲାରୁ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।
ଯାତ୍ରାର ପ୍ରଥମ ଦିବସ ଅର୍ଥାତ୍ ନଭେମ୍ବର ୧୬ ତାରିଖ ଦିନ ଖଣ୍ଡ ଧୁଆ, ଖଣ୍ଡା ବସା ଏବଂ ମୂର୍ତ୍ତି ସ୍ଥାପନ କାର୍ଯ୍ୟକ୍ରମ କରାଯାଇଥିଲା। ଏହାପରେ ନଭେମ୍ବର ୧୭ ତାରିଖରେ ମାଁ ମାଣିକେଶ୍ୱରୀଙ୍କ ଆଜ୍ଞାମାଳ ଏବଂ ରାଜା-ରାଣୀ ପୂଜା, ବୁଢ଼ାରଜା ପୂଜା ଅନୁଷ୍ଠିତ ହୋଇଥିଲା। ପରେ ମଧ୍ୟାହ୍ନରେ ଝାମୁ କାଠରେ ଅଗ୍ନି ସଂଯୋଗ କରାଯାଇ ପାରମ୍ପରିକ ରୀତିନୀତିରେ ପୂଜାବିଧି ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ବାବା ଭୈରବ ଦେବଙ୍କ କାଳସୀଙ୍କ ଦ୍ୱାରା ନଗର ପରିକ୍ରମା କରାଯାଇଥିଲା। ସନ୍ଧ୍ୟା ୭ଟାରେ ଭୈରବ ଦେବ ଏବଂ ମାଁ ଡୋକରି ଦେବୀଙ୍କ କଣ୍ଟା ଗାଦିଆ ବସା ଓ କଣ୍ଟା ଦୋଳି ଝୁଲା ଅନୁଷ୍ଠିତ ହୋଇଥିଲା। ଠିକ୍ ତା’ପରେ ସନ୍ଧ୍ୟା ୭:୩୦ ମିନିଟ୍‌ରେ ବାବା ଭୈରବ ଦେବ ଅଗ୍ନି ପରୀକ୍ଷା ଦେଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ।

ନିଜର ମାନସିକ ପୂରଣ ପାଇଁ ଅନେକ ଭକ୍ତ ବିଭିନ୍ନ ଅର୍ପଣ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ରାତ୍ରୀକାଳରେ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପୂଜା କମିଟି ସଭାପତି ଉମାଶଙ୍କର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାକୁ ଅଭି ନାଏକ ପରିଚାଳନା କରିଥିବାବେଳେ ଡମ୍ବରୁଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ସମ୍ମାନିତ ବ୍ୟକ୍ତିବିଶେଷ ଭାବେ କଳାହାଣ୍ଡି ସାଂସଦଙ୍କ ବ୍ଲକ୍ ପ୍ରତିନିଧି ପବିତ୍ର ନାଏକ, ଭାଜପା ଏସ୍.ସି. ସେଲ୍ ଜିଲ୍ଲା ସଭାପତି ବିଷ୍ଣୁ ନାଏକ, ଲାଞ୍ଜିଗଡ଼ ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ହେମନ୍ତ କୁମାର ନାଏକ, ପରମେଶ୍ୱର ନାଏକ, ତ୍ରିନାଥ ନାଏକ, କୃଷ୍ଣ ନାଏକ, ଆଇନଜୀବୀ ନିମାନ୍ ନାଏକ, ବିପିନ ବିହାରୀ ନାଏକ, ପୁଷ୍ପ ନାଏକ, ଅଜିତ୍ ନାଏକ, ରାଧେକୃଷ୍ଣ ଧଙ୍ଗଡ଼ାମାଝୀ, ଯନ୍ତ୍ରୀ ମଳୟ ଶତପଥୀଙ୍କ ସମେତ ଅଞ୍ଚଳର ବରିଷ୍ଠ ନେତୃମଣ୍ଡଳୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନେକ ସମାଜସେବୀ ଉପସ୍ଥିତ ରହି ଉତ୍ସବକୁ ଉତ୍ସାହିତ କରିଥିଲେ।

ଦୀର୍ଘ ବର୍ଷରୁ ପାଳିତ ହୋଇଆସୁଥିବା ଏହି ପରମ୍ପରାରେ ଭୈରବ କାଳସୀ ଗୋବିନ୍ଦ ଧଙ୍ଗଡ଼ାମାଝୀ ଏବଂ ବଡ଼ ପୂଜକ ତଥା ଡୋକରି ଦେବୀ କାଳସୀ ସୁଦର୍ଶନ ନାଏକ ସମସ୍ତ ପୂଜାର୍ଚ୍ଚନା ସମ୍ପାଦନ କରିଥିଲେ। ଉତ୍ସବକୁ ସୁଚାରୁରୂପେ ସମ୍ପନ୍ନ କରିବାରେ କମିଟିର ଉପସଭାପତି ମଧୁସୂଦନ ନାଏକ, ସମ୍ପାଦକ ଶ୍ରିବନ୍ତ ବାଗ, ସହ-ସମ୍ପାଦକ ମଳୟ ନାଏକ, କୋଷାଧ୍ୟକ୍ଷ ଜଗାକାଳିଆ ନାଏକ ଏବଂ ସମସ୍ତ ଗ୍ରାମବାସୀ ଓ ପଡ଼ାବାସୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

 

Dharitri – Odisha’s No.1 Odia Daily

Share