ସଂସଦ ଭବନରେ ଗୁଞ୍ଜିଲା କଳାହାଣ୍ଡିର ଢାପ ନୃତ୍ୟ: କଳାକାରଙ୍କଠୁ ରାମକାଠି ନେଇ ବଜାଇଲେ ମୋଦି

ଭବାନୀପାଟଣା,୧୬।୧୧(ଉତ୍ତମ କୁମାର ଦାଶ): ଦିଲ୍ଲୀ ସଂସଦ ଭବନରେ ଜାତୀୟ ମଞ୍ଚରେ ଝଲସିଲା କଳାହାଣ୍ଡିର ପାରମ୍ପରିକ ଢାପ ନୃତ୍ୟ। ଜନଜାତୀୟ ଗୌରବ ଦିବସ ଅବସରରେ ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନର ୧୨ ଜଣିଆ କଳାକାର ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ଢାପ ନୃତ୍ୟ ପରିବେଷଣ କରିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କଳାକାରଙ୍କ ସହ ଭାବ ବିନିମୟ କରିବା ସହ ଜଣେ କଳାକାରଙ୍କ ହାତରୁ ରାମକାଠି ନେଇ ନିଜେ ବଜାଇଥିଲେ। ତାଙ୍କର ଏହି ଆଗ୍ରହ କଳାକାରଙ୍କୁ ଉତ୍ସାହିତ କରିଥିବାବେଳେ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲା। ପ୍ରତିଭା ଅନୁଷ୍ଠାନର ସଭାପତି ତଥା ଗୁରୁ ଧ୍ୟାନାନନ୍ଦ ପଣ୍ଡା ଓ ଗୁରୁ ଚିଣ୍ଟୁ ପ୍ରସାଦ ନାଏକଙ୍କ ନେତୃତ୍ୱରେ କଳାକାରମାନେ ଏହି ଗୌରବମୟ ପ୍ରଦର୍ଶନ କରିଥିଲେ। ଜାତୀୟ ମଞ୍ଚରେ କଳାହାଣ୍ଡିର ଲୋକକଳାକୁ ଏଭଳି ସମ୍ମାନ ମିଳିବା ଜିଲା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।ଏପରିକି ପ୍ରଧାନମନ୍ତ୍ରୀ ନିଜେ ଏହାର ଭିଡିଓ ନିଜ ଫେସବୁକରେରେ ପୋଷ୍ଟ କରିଛନ୍ତି।

Dharitri – Odisha’s No.1 Odia Daily

 

Share