ଜାତୀୟ ବିଜ୍ଞାନ ମଞ୍ଚରେ କଳାହାଣ୍ଡି ପୁଅ ସ୍ବୟଂଜିତଙ୍କ କମାଲ: ଅହମ୍ମଦାବାଦରୁ ସିକନ୍ଦରାବାଦ…

ଭବାନୀପାଟଣା, ୨୫ା୧୧ (ଉତ୍ତମ କୁମାର ଦାଶ):ଜାତୀୟ ସ୍ତରର ବିଜ୍ଞାନ ମଞ୍ଚରେ ନିଜର ପ୍ରତିଭା, ସୃଜନଶୀଳତା ଓ ଗବେଷଣାମୂଳକ ଚିନ୍ତାଧାରାର ପରିଚୟ ଦେଇ କଳାହାଣ୍ଡି ଜିଲା ପାଇଁ ଗୌରବ ଆଣିଛନ୍ତି ଭବାନୀପାଟଣା କେନ୍ଦ୍ରୀୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର ସ୍ବୟଂଜିତ ନାୟକ। ଜାତୀୟ ସ୍ତରକୁ ମନୋନୀତ ହୋଇଥିବା ଦୁଇଟି ବିଜ୍ଞାନ ପ୍ରକଳ୍ପକୁ ସେ ଅହମ୍ମଦାବାଦ ଓ ସିକନ୍ଦରାବାଦଠାରେ ଉପସ୍ଥାପନ କରି ଚର୍ଚ୍ଚାକୁ ଆସିଛନ୍ତି।
ସୂଚନାନୁଯାୟୀ, ସ୍ବୟଂଜିତ ଗୁଜରାଟର ଅହମ୍ମଦାବାଦସ୍ଥିତ ସାଇନ୍ସ ସିଟିଠାରେ ସୋମବାର ଓ ମଙ୍ଗଳବାର ଅନୁଷ୍ଠିତ ଆଇଆର୍‌ଆଇଏସ୍‌ ଜାତୀୟ ବିଜ୍ଞାନ ମେଳାରେ ଟ୍ରେନ୍‌ ବଗିରେ ବ୍ୟବହୃତ ବିୟରିଂ ତ୍ରୁଟିକୁ ତତ୍କାଳ ଚିହ୍ନଟ କରିବା ଉଦ୍ଦେଶ୍ୟରେ ଏକ ଅତ୍ୟାଧୁନିକ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଏହା ଏମ୍ବେଡେଡ୍‌ ସିଷ୍ଟମ ଅନ୍ତର୍ଗତ ଏକ ପ୍ରଯୁକ୍ତିଭିତ୍ତିକ ପ୍ରକଳ୍ପ ଯାହା ପ୍ରଯୁକ୍ତି ରେଳ ସୁରକ୍ଷା ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଉପଯୋଗୀ ହୋଇପାରିବ। ଏହି ଜାତୀୟ ମେଳା ଏକ୍ସଟେମ୍ପ୍ଲାର ଏଜୁକେଶନ ଲିଙ୍କର୍ସ ଫାଉଣ୍ଡେଶନ ଓ ଜାଇଡସ ଫାଉଣ୍ଡେଶନ ସହଯୋଗରେ ଆୟୋଜିତ ହୋଇଥିଲା। ସେହିପରି ଗତ ୧୮ ଓ ୧୯ ତାରିଖରେ ସିକନ୍ଦରାବାଦଠାରେ ଆୟୋଜିତ ଜାତୀୟ ବାଲ୍‌ ବିଜ୍ଞାନ କଂଗ୍ରେସରେ ସ୍ବୟଂଜିତ ଅଂଶଗ୍ରହଣ କରି ନିଜର ଗବେଷଣାମୂଳକ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଅନ୍ୟ ଉଦ୍ଭିଦ ପାଇଁ କ୍ଷତିକାରକ ପାର୍ଥେନିୟମ ନାମକ ଅନିଷ୍ଟକାରୀ ତୃଣକୁ ଉଦ୍ଭିଦ ବୃଦ୍ଧିରେ ସହାୟକ ଏକ ଉପଯୋଗୀ ସମ୍ପଦ ଭାବେ ବ୍ୟବହାର କରିବା ସମ୍ଭାବନା ଉପରେ ସେ ନିଜର ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ଏଥିରେ ଗୋବର ଓ ଗୋମୂତ୍ର ଭଳି ପ୍ରାକୃତିକ ସମ୍ପଦର ଉପଯୋଗ କରି ପରିବେଶ ଅନୁକୂଳ ପଦ୍ଧତିରେ ଉଦ୍ଭିଦ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସ୍ବୟଂଜିତ ବଡ଼ଚେରଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟନାରାୟଣ ନାୟକ ଓ ଭବାନୀପାଟଣା ଏସ୍‌ଡିଜେଏମ୍‌ କୋର୍ଟର ମୁଖ୍ୟ କିରାଣି ସୀତା ନାୟକଙ୍କ ସୁପୁତ୍ର ଅଟନ୍ତି। ତାଙ୍କର ଏହି ସଫଳତା ପଛରେ ପରିବାର ସମେତ ବିଦ୍ୟାଳୟର ଅଧ୍ୟକ୍ଷ ଭୀମସେନ ପଣ୍ଡା ଓ ଶିକ୍ଷକ ବିପ୍ଳବ ଘୋଷଙ୍କ ମାର୍ଗଦର୍ଶନ ରହିଛି। ସ୍ବୟଂଜିତଙ୍କ ଏହି ସଫଳତା ଜିଲାର ଅନ୍ୟ ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ଓ ନୂତନ ଉଦ୍ଭାବନ ଦିଗରେ ଆଗେଇ ଆସିବାକୁ ପ୍ରେରଣା ଯୋଗାଇବ। ତାଙ୍କର ଏହି ଉଲ୍ଲେଖନୀୟ ସଫଳତାକୁ ନେଇ ଜିଲାରେ ଖୁସିର ପରିବେଶ ସୃଷ୍ଟି ହୋଇଛି।

 

Dharitri – Odisha’s No.1 Odia Daily

 

Share