ଆସୁଛି କାଳ ବୈଶାଖୀ, ରବିବାର ଠୁ ବଡ଼ ବର୍ଷା!

ଭୁବନେଶ୍ୱର,୫।୪: ନିଆଁରେ ଫୁଟୁଛି ଭୁବନେଶ୍ୱର। ଆଜି ତତଲା ତାୱାରେ ଭାଜି ହୋଇଛନ୍ତି ରାଜଧାନୀବାସୀ। ଆଜି ପରି ଆସନ୍ତାକାଲି ଶନିବାର ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତେବେ ରବିବାରଠାରୁ ପାଗର ପରିବର୍ତ୍ତନ ହୋଇପାରେ। ରାଜ୍ୟର କେତେକ ଜିଲାରେ ବର୍ଷା ଓ କାଳବୈଶାଖୀ ହେବାର ସମ୍ଭାବନା ଥିବାରୁ ତାତିରେ ଲାଗିପାରେ ବ୍ରେକ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ସୂଚନା ଅନୁସାରେ ଶନିବାର ମାଲକାନଗିରି, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦୁଝର, ଅନୁଗୋଳ, ମୟୂରଭଞ୍ଜ, ବାଲେଶ୍ୱର ଓ ଝାରସୁଗୁଡା ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ରହିଛି। ଦିନ ପରି ରାତିରେ ମଧ୍ୟ ସ୍ଥିତି ଭୟଙ୍କର ହେବ। ପ୍ରବଳ ଗରମ ସତ୍ତ୍ୱେ କେତେକ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗ ଡ଼ ଓ ଝାରସୁଗୁଡ଼ା ଜିଲାରେ ବଜ୍ରପାତ ସହ ଘଡ଼ଘଡ଼ି ମାରିପରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ରବିବାର ପାଗରେ ସାମାନ୍ୟ ପରିବର୍ତ୍ତନ ହେବ। ବୌଦ୍ଧ, ଅନୁଗୋଳ, ନୟାଗଡ଼, ଢେଙ୍କାନାଳ ଓ ଯାଜପୁର ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼ ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, ବୌଦ୍ଧ, ନୟାଗ କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ସୋନପୁର, ସମ୍ବଲପୁର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ବଜ୍ରପାତ ସହ ଘଡ଼ଘଡ଼ି ମାରିପାରେ। ସେହିପରି ବଲାଙ୍ଗିର, ସୋନପୁର, ସମ୍ବଲପୁର ଓ କେନ୍ଦୁଝର ଜିଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ବରଗଡ଼, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର, ବୌଦ୍ଧ, ନୟାଗଡ଼, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ କେତେକ ସ୍ଥାନରେ ବର୍ଷା ସମୟରେ ପବନ ବୋହିପାରେ। ଏହି ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।