ହିଟ୍‌ ଓ୍ବେଭ୍‌ ସହ କାଳବୈଶାଖୀ, ୧୦ ଯାଏ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୬ା୬ (ବନ୍ଦନା ସେଠୀ) – ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଥିବାବେଳେ ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚୁଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ସକାଳୁ ଗୁଳୁଗୁଳି ଜନଜୀବନକୁ ପ୍ରଭାବିତ କରିଥିଲା। ଦିନ ବଢ଼ିବା ସହ ଖରାତାତି ଓ ଝାଞ୍ଜି ପବନ ଦେହମୁହଁକୁ ପୋଡ଼ି ଦେବାଭଳି ଅନୁଭବ ହୋଇଥିଲା। ଅପରାହ୍ନରୁ ବିଶେଷକରି ଖୋର୍ଦ୍ଧା ଜିଲା ସମେତ କେନ୍ଦ୍ରାପଡ଼ା, ବାଲେଶ୍ୱର, ସୁନ୍ଦରଗଡ଼ ଆଦି ବିଭିନ୍ନ ଜିଲାରେ କାଳବୈଶାଖୀ ପାଗରେ ପରିବର୍ତ୍ତନ ଆଣିଥିଲା। ତେବେ ଆଗାମୀ ୩ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ବୋଲି ପୂର୍ବାନୁମାନ କରାଯାଇଛି। ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ଜନଜୀବନ ଆହୁରି ଅସ୍ତବ୍ୟସ୍ତ ହୋଇପଡିବ ବୋଲି ଆଶଙ୍କା କରାଯାଉଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାର ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ବୌଦ୍ଧରେ ସର୍ବାଧିକ ୪୧.୯ ଡିଗ୍ରୀ ରେକର୍ଡ ହୋଇଥିଲା। ତେବେ ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ କାଳବୈଶାଖୀ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଝାରସୁଗୁଡା, କଟକ, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ଗଜପତି, ମାଲକାନଗିରି, ଗଞ୍ଜାମ, ପୁରୀ ଏବଂ ନୟାଗଡ଼ ଜିଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ବାର୍ନିଂ ଦେଇଛି ପାଣିପାଗ କେନ୍ଦ୍ର।

Dharitri – Odisha’s No.1 Odia Daily

Share