ବଞ୍ଚୋ, ୧୧।୬ :(ପ୍ରଦୋଷ ବିଶ୍ୱାଳ ): କାଳବୈଶାଖୀର ପ୍ରଭାବରେ ଆନନ୍ଦପୁର ପୌରାଞ୍ଚଳର ମାଳିସାହି ନିକଟରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିବା ଫଳରେ କରଞ୍ଜିଆଭଦ୍ରକ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପ୍ରବଳ ପବନ ଓ ବର୍ଷା ଯୋଗୁ ଗଛଟି ମୂଳରୁ ଉପୁଡ଼ି ରାସ୍ତା ଉପରେ ପଡ଼ିଯାଇଥିଲା। ଖବରପାଇ ଆନନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ରାସ୍ତାରୁ ହଟାଇଥିଲେ। ଫଳରେ କିଛି ସମୟ ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଏହି ସମୟରେ ୱାର୍ଡ ନଂ୭ର କାଉନ୍ସିଲର କୃଷ୍ଣ ରଣା ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ରାସ୍ତା ସଫେଇ କାର୍ଯ୍ୟର ତଦାରଖ କରିଥିଲେ। ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।