ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି । ହଠାତ ପ୍ରବଳ ବେଗରେ ପବନ ବହିବାରୁ ଗ୍ରାମର କାନ୍ଦୁରୁ ନାୟକଙ୍କ ଘରର ଦୁଲା କାଠ ଭାଙ୍ଗି ଟିଣ ଉଡ଼ି ଘରକୁ ଆସିଥିଲା । ଏହା କିଛି ସମ୍ପର୍କୀୟଙ୍କ ଉପରେ ପଡିଯିବାରୁ ରାମି ନାୟକ (୨୧) ଓ ତାଙ୍କ ମା’ ଶୁସିଳା ନାୟକ (୪o) ଗୁରୁତର ହୋଇଥିବା ବେଳେ ଏଭ୍ରିତ ନାୟକ (୨୫) ,ରାଜ ନାୟକ (୧୩) ଓ ଦଣ୍ଡପାଣି ବୀର (୭୦) ଆହତ ହୋଇଛନ୍ତି ।

ଗୁରୁତରମାନଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ଗ୍ରାମବାସୀ ଏକ ଅଟୋ ଦ୍ୱାରା ଗୁରୁତର ଓ ଆହତମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତଙ୍କ ଚ଼ିକିତ୍ସା ଚ଼ାଲୁ ରହିଛି । ଗ୍ରାମର ସନ୍ତୋଷ କୁମାର ନାୟକ ଓ ଅଜୟ ମଳିକଙ୍କ ଘରର ଟିଣ ମଧ୍ୟ ଉଡ଼ିଯାଇଛି । ସମସ୍ତେ ଗରୀବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଏସଂପର୍କରେ ଲୁହାଗୁଡ଼ି ରାଜସ୍ଵ ନିରୀକ୍ଷକ ମଞ୍ଜୁଳା ଯେନାଙ୍କୁ ଯୋଗାଯୋଗ କରିବାରୁ ଆଜି ରବିବାର ଅଫିସ ବନ୍ଦ ଆସନ୍ତା କାଲି ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି।ଅପରପକ୍ଷେ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ନଥିବା ଓ ସହାୟତା କରିନଥିବା କ୍ଷତିଗ୍ରସ୍ତ ପରିବାର ଅଭିଯୋଗ କରିଛନ୍ତି ।

 

Dharitri – Odisha’s No.1 Odia Daily

Share
Tags: mohana news