ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ।
ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ ନିର୍ମିତ ଟେଣ୍ଟ ଭାଙ୍ଗି ପଡ଼ି ପଡିଥିବା ବେଳେ ପ୍ରାୟ ୨୫୦ଟି ଷ୍ଟଲ ବର୍ଷା ପବନରେ ମାଟିରେ ମିଶି ଯାଇଛି। ଏନେଇ ଅନ୍ତର୍ଜାତୀୟସ୍ତରରୁ ଆସିଥିବା ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି।
ଏପରିକି ଝଡତୋଫାନ ବର୍ଷାରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଖବର ପାଇ ପ୍ରାୟ ୧୫ ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରୁଛନ୍ତି।
ଆଜି ଭୁବନେଶ୍ବରରେ ଅସହ୍ୟ ଗରମ ଓ ଗୁଳୁଗୁଳି ପରିଲକ୍ଷିତ ହୋଇଥିଲା। ସକାଳ ସାଢେ ୮ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୩ ଡିଗ୍ରୀ ଓ ଆର୍ଦ୍ରତା ୭୭% ଥିଲା । ୪୭ ଡିଗ୍ରୀ ପରି ଅନୁଭୂତ ହେଉଥିଲା ଗରମ। ଠିକ୍ ଅପରାହ୍ନରେ ଆକାଶରେ କଳାହାଣ୍ଡିଆ ମେଘ ଦେଖାଯିବା ସହ କାଳବୈଶାଖୀ ପ୍ରଭାବରେ ଝଡତୋଫାନ ବର୍ଷା ଯୋଗୁ ରାଜଧାନୀବାସୀଙ୍କୁ ଗରମ, ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଛି। ହେଲେ ଝଡତୋଫାନ ଫଳରେ ବଡ଼ ବଡ଼ ଗଛଭାଙ୍ଗି ପଡିଥିବା ବେଳେ ତେତେକ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ଥିବା ମଧ୍ୟ ଖବର ଆସିଛି।