ଶୈଳଶ୍ରୀକ୍ଷେତ୍ରରୁ ଉଡ଼ିଗଲା ନେତ, ରୁକିଲା ଟ୍ରେନ୍‌

ଅନୁଗୋଳ ଅଫିସ, ୩୦ା୫: ଭୀଷଣ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅନୁଗୋଳବାସୀ ଅଥୟ ହୋଇପଡ଼ିଥିଲେ। ପାରଦ ୪୦ ଡିିଗ୍ରୀ ତଳକୁ ଖସୁ ନ ଥିବାରୁ ଲୋକମାନେ ଆଉଟ ପାଉଟୁ ହେଉଥିଲେ। ସୋମବାର ସହରର ତାପମାତ୍ରା ୪୧ ଡିଗ୍ରୀ ରହିଥିବାରୁ ଅସହ୍ୟ ତାତିରେ ଲୋକେ ସନ୍ତୁଳି ହେଉଥିବା ବେଳେ ଅପରାହ୍ନରେ ଆସିଥିଲା କାଳବୈଶାଖୀ। ଖୁବ୍‌ ଜୋର୍‌ରେ ପବନ ସହ ବର୍ଷା ହେବାରୁ ଲୋକେ ତାତିରୁ ସାମାନ୍ୟ ତ୍ରାହି ପାଇଥିଲେ। ଏହି କାଳବୈଶାଖୀ ଯୋଗୁ ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ବେଳେ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଉପରେ ଥିବା ନେତ ଉଡ଼ିଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି ତାଳଚେର-ସମ୍ବଲପୁର ରେଳପଥରେ ଏକ ଗଛ ଉପୁଡ଼ି ପଡ଼ିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସୋମବାର ସକାଳୁ ଆରମ୍ଭ ହୋଇଥିଲା ଗ୍ରୀଷ୍ମ ପ୍ରବାହ। ପୂର୍ବାହ୍ନ ୮ଟା ବେଳୁ ଟାଣ ଖରା ହୋଇଥିବା ବେଳେ ମଧ୍ୟାହ୍ନ ସମୟରେ ତାତି ବଢ଼ିବାରୁ ଲୋକେ ଆଉ ବାହାରକୁ ବାହାରି ପାରି ନ ଥିଲେ। କିନ୍ତୁ ଅପରାହ୍ନରେ ବଦଳି ଯାଇଥିଲା ଅନୁଗୋଳର ପାଗ। କାଳବୈଶାଖୀ ଯୋଗୁ ଆକାଶରେ ଚମକିଥିଲା ବିଜୁଳି ଘଡ଼ଘଡ଼ି। ଅଧଘଣ୍ଟା ଧରି ଝଡ଼ ତୋଫାନ ହେବାରୁ ଥଣ୍ଡା ପଡ଼ିଯାଇଥିଲା ସହର। ତେବେ ଏହି ଝଡ଼ ସମୟରେ ଅନୁଗୋଳ ଶଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ପତିତପାବନ ବାନା ଉଡ଼ି ଯାଇଥିଲା। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନୁଗୋଳ ଅଗ୍ନିଶମ ବିଭାଗ ପକ୍ଷରୁ ତୁରନ୍ତ ଗଛ ଗୁଡ଼ିକ କଟାଯାଇଥିବା ସୂଚନା ପ୍ରଦାନ କରାଯାଇଛି। ଅନୁଗୋଳର ପିଟିସି କ୍ବାର୍ଟର ଲାଇନ୍‌, ହଷ୍ଟେଲ ଓ ମେଡିକାଲ ଲାଇନରେ ବଡ଼ ବଡ଼ ଗଛ ଉପୁଡ଼ିପଡ଼ି ଘର ଗୁଡ଼ିକୁ ମାଡ଼ି ବସିଥିଲା। ଦୀର୍ଘ ଦେଢ଼ଘଣ୍ଟା ପରିଶ୍ରମ କରିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଗଛ କଟା ସରିଥିଲା। ଏହି ଟିମ୍‌ରେ ବିଭାଗ ପକ୍ଷରୁ ସୁକାନ୍ତ କୁମାର ନାଥ, ବିଜୟ ଓଝା, ସମୀର ସେଠୀ, ଚିତ୍ତରଞ୍ଜନ ସାହୁ, ବିଜୟାନନ୍ଦ ନାୟକ ପ୍ରମୁଖ ସାମିଲ ଥିଲେ। ସେହିଭଳି ଶୈଳଶ୍ରୀକ୍ଷେତ୍ର ବାନା ଉଡ଼ିଯିବା ପରେ ତୁରନ୍ତ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନୂଆ ବାନା ଲଗାଯାଇଥିଲା। ଏହାପରେ ସନ୍ଧ୍ୟା ନୀତି ହୋଇଥିବା ପରିଚାଳନା କମିଟିର ସମ୍ପାଦକ ହେମନ୍ତ ଦାସ କହିଛନ୍ତି।