ଭୁବନେଶ୍ୱର,୧୩।୯(ସୁନିତ୍ ମିଶ୍ର): ‘ବିକଳ୍ପ ଓଡିଶା’ ସଭାପତି କୈଳାଶ ମିଶ୍ର ଶନିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଏଆଇସିସି ଓଡିଶା ପ୍ରଭାରୀ ଅଜୟ ଲାଲୁଙ୍କ ପୌରୋହିତ୍ୟରେ କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ କୈଳାଶ ମିଶ୍ର ୨ ଶହରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଆସି କଂଗ୍ରେସରେ ମିଶିଛନ୍ତି।
ଏହି ଅବସରରେ କୈଳାଶ ମିଶ୍ର କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଏକ ଦାୟିତ୍ୱବାନ ବିରୋଧୀ ଦଳର ଭୂମିକା ନିଭାଉଛି। ଭାଜପା ୧୨% ଭୋଟ ଚୋରି କରିଥିବା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ବିଜେଡି-ଭାଜପା ମିଶିକି ଓଡିଶାର ଖଣିଜ ସମ୍ପଦ ଲୁଟ୍ କରୁଛନ୍ତି। ବର୍ତ୍ତମାନ କେବଳ ରାଜ୍ୟ ଓ ଜିଲାର କାର୍ଯ୍ୟକର୍ତ୍ତାମାନେ କଂଗ୍ରେସରେ ଯୋଗ ଦେଉଛନ୍ତି। ଆଗକୁ ବ୍ଲକ୍ସ୍ତରରେ ’ବିକଳ୍ପ ଓଡିଶା’ର ଲକ୍ଷାଧିକ ଲୋକ କଂଗ୍ରେସର ଯୋଗଦେବେ।
କୈଳାଶ ମିଶ୍ରଙ୍କୁ ସ୍ବାଗତ କରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ରେଭେନ୍ସା କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି, ଡିଏସଓର ପୂର୍ବତନ ସଭାପତି, ସମାଜବାଦୀ ପାର୍ଟିର ପୂର୍ବତନ ରାଜ୍ୟ ସଭାପତି, ଦେଶରେ ମାଇକ୍ରୋଫାଇନାନ୍ସ, ସ୍ବୟଂସହାୟକ ଗୋଷ୍ଠୀ ତଥା ସମବାୟ ଆନ୍ଦୋଳନର ଜଣେ ଜଣାଶୁଣା ପ୍ରବକ୍ତା ଥିଲେ। ତାଙ୍କ ଯୋଗଦାନ ଦ୍ବାରା କଂଗ୍ରେସ ଆହୁରି ଶକ୍ତିଶାଳୀ ହେବ।
ଅଜୟ କୁମାର ଲଲ୍ଲ କହିଛନ୍ତି, ଭାଜପା-ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ମହାଦେବପୁରା ବିଧାନସଭା କ୍ଷେତ୍ରରେ ଭୋଟ ଚୋରିକୁ ରାହୁଲ ଗାନ୍ଧୀ ଧରାଇଦେବା ପରେ ସୃଷ୍ଟ ରାଜନୈତିକ ବାତାବରଣକୁ କଂଗ୍ରେସ ସପକ୍ଷରେ କରିବା ପାଇଁ କୈଳାଶଙ୍କ ଯୋଗଦାନ ସହାୟକ ହେବ ବୋଲି ସେ କହିଛନ୍ତି।


