Categories: ରାଜ୍ୟ

ଡ. ବିଭୂତି ପଟ୍ଟନାୟକଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର, ୧୨।୯(ବ୍ୟୁରୋ): ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଶନିବାର ଲେଖକ, କବି, ସାହିତି୍ୟକ, କଳାକାରଙ୍କୁ ନେଇ ଏକ ବନ୍ଧୁମିଳନ ତଥା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସାହିତି୍ୟକ ଓ ଔପନ୍ୟାସିକ ଡ. ବିଭୂତି ପଟ୍ଟନାୟକଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଛି। ପୁରସ୍କାର ବାବଦରେ ୧ ଲକ୍ଷ ଟଙ୍କା, ଉତ୍ତରୀୟ ଓ ଉପଢ଼ୌକନ ପ୍ରଦାନ କରାଯାଇଛି। ସେହିପରି ବିଶିଷ୍ଟ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଥମ ‘ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ୨୫ହଜାର ଟଙ୍କା ସହ ଉପଢ଼ୌକନ ଦିଆଯାଇଛି। ରୋଜାଲିନ ମହାନ୍ତି, ସଞ୍ଜୟ ପଣ୍ଡା ଓ ମାଧବାନନ୍ଦ ପାତ୍ରଙ୍କୁ ‘କାଦମ୍ବିନୀ ନବଉନ୍ମେଷ ଗଳ୍ପ ସମ୍ମାନ’, ଶିବ ସୁନ୍ଦର ରାଉତ, ଆଶିଷ ମିଶ୍ର, ସୁଭଦ୍ରା ପ୍ରିୟଦର୍ଶିନୀ ନାୟକଙ୍କୁ ‘କାଦମ୍ବିନୀ ନବଉନ୍ମେଷ କବିତା ସମ୍ମାନ’, ବିଶିଷ୍ଟ ଚିକିତ୍ସକ ଡା. ହରିଶ ଚୌଧୁରୀଙ୍କୁ ‘କାଦମ୍ବିନୀ ସେବା ସମ୍ବର୍ଦ୍ଧନା’ ପ୍ରଦାନ କରାଯିବା ସହ ପ୍ରାଚୀ ମହାପାତ୍ରଙ୍କୁ ‘କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ସମ୍ମାନ’, ସଦାନନ୍ଦ ତ୍ରିପାଠୀଙ୍କୁ ‘କାଦମ୍ବିନୀ ନବଉନ୍ମେଷ ଗଳ୍ପ ବିଚାରକ’ ଓ ଡ. ଜୟନ୍ତୀ ରଥଙ୍କୁ ‘କାଦମ୍ବିନୀ ନବଉନ୍ମେଷ କବିତା ବିଚାରକ’ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। କାଦମ୍ବିନୀ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣ ଦେଇଥିବାବେଳେ ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ସାହିତି୍ୟକା ନିରୁପମା ଆଚାର୍ଯ୍ୟ, ଡ. ସଂଘମିତ୍ରା ମିଶ୍ର, ସାହିତି୍ୟକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କାଦମ୍ବିନୀ ଓ କୁନିକଥାର ସେପ୍ଟେମ୍ବର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଡ. ଇତି ସାମନ୍ତଙ୍କ ସମ୍ପାଦିତ କ୍ଷୁଦ୍ରଗଳ୍ପ ସଂକଳନ ‘କାଳଜୟୀ କଥା’ ଓ ‘କାଦମ୍ବିନୀ ପରିକ୍ରମା’କୁ ଉନ୍ମୋଚନ କରାଯାଇଥିଲା।