କାବୁଲ ବିସ୍ଫୋରଣ: ଷଡ଼ଯନ୍ତ୍ରକାରୀ ନିହତ

ଓ୍ବାଶିଂଟନ, ୨୯।୮: ଆଫଗାନିସ୍ତାନର କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଇସ୍‌ଲାମିକ ଷ୍ଟେଟ୍‌ ଖୋରାସାନ (ଆଇଏସ୍‌-କେ) ବିସ୍ଫୋରଣ ଘଟାଇବାର ୪୮ ଘଣ୍ଟା ନ ପୂରୁଣୁ ଆମେରିକା ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆମେରିକା ସୈନ୍ୟବାହିନୀ ଉକ୍ତ ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ କରି ଶନିବାର ଏୟାରଷ୍ଟ୍ରାଇକ୍‌ କରିଛି। ଆଫଗାନିସ୍ତାନର ନଙ୍ଗରହାର ପ୍ରଦେଶରେ ଆମେରିକାର ଡ୍ରୋନ୍‌ ମାଡ଼ରେ ଆଇଏସ୍‌-କେ ସଂଗଠନର ଭବିଷ୍ୟତ ଆକ୍ରମଣ ଯୋଜନା ପ୍ରସ୍ତୁତକାରୀ (ପ୍ଲାନର) ଓ ତାଙ୍କର ଜଣେ ସହଯୋଗୀ ନିହତ ହୋଇଛନ୍ତି। ତେବେ ଗୁରୁବାର କାବୁଲ ବିମାନବନ୍ଦର ବିସ୍ଫୋରଣ ଘଟଣାର ଯୋଜନା ସେ ପ୍ରସ୍ତୁତ କରିଥିଲେ କି ନାହିଁ ସେ ନେଇ ଆମେରିକା ସେଣ୍ଟ୍ରାଲ କମାଣ୍ଡ ସ୍ପଷ୍ଟ କରିନାହିଁ। ଆଇଏସ୍‌-କେ ପ୍ଲାନରଙ୍କ ବିରୋଧରେ ଶନିବାର ଆମେରିକା ସୈନ୍ୟବାହିନୀ ପକ୍ଷରୁ ଆତଙ୍କବାଦ ନିରୋଧୀ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେଣ୍ଟ୍ରାଲ କମାଣ୍ଡ ମୁଖପାତ୍ର ବିଲ୍‌ ଉର୍ବାନ ଏକ ବିବୃତିରେ କହିଛନ୍ତି। ଟାର୍ଗେଟକୁ ଭେଦ କରାଯାଇଛି ଓ କୌଣସି ସାଧାରଣ ନାଗରିକ ମୃତାହତ ହୋଇ ନ ଥିବା ସେ ସୂଚନା ଦେଇଛନ୍ତି।
ଆଇଏସ୍‌-କେର ହଜାର ହଜାର ଆତଙ୍କବାଦୀ ନଙ୍ଗରହାର ପ୍ରଦେଶରେ ଆତ୍ମଗୋପନ କରିଥିବା ବିଶ୍ୱାସ କରାଯାଉଛି। କାବୁଲ ବିମାନବନ୍ଦର ବାହାରେ ହୋଇଥିବା ବିସ୍ଫୋରଣ ପାଇଁ ଏହି ସଂଗଠନ ନିଜକୁ ଦାୟୀ କରିଥିଲା। ଉକ୍ତ ବିସ୍ଫୋରଣରେ ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗୁରୁବାରର ଆକ୍ରମଣ ଆଫଗାନିସ୍ତାନରେ ଆମେରିକା ନେତୃତ୍ୱାଧୀନ ସେନା ଉପରେ ଗତ ୨୦ ବର୍ଷ ମଧ୍ୟରେ ସବୁଠୁ ଭୟାନକ ଆକ୍ରମଣ ଥିଲା। ଆକ୍ରମଣକାରୀଙ୍କୁ ଖୋଜିକରି ମାରିବୁ ବୋଲି ଦିନକ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଧମକ ଦେଇଥିଲେ। ଏହା ପରେ ପେଣ୍ଟାଗନ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଡ୍ରୋନ୍‌ ଆକ୍ରମଣରେ ଗୋଟିଏ ଘର ଧ୍ୱଂସ ହେବା ସହ କେତେକ ଗାଡ଼ି ଜଳିଯାଇଥିବା ଦେଖାଯାଇଛି। ବିଶ୍ୱାସ କରାଯାଉଥିବା ନିର୍ଦ୍ଦିଷ୍ଟ ବିପଦ ଶେଷ ହେବାକୁ ଯାଉଛି ଏବଂ ଆମେ ସେଭଳି ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ଏହା ଜଣାଇଦେବାକୁ ଚାହୁଁ ବୋଲି ଶୁକ୍ରବାର ପେଣ୍ଟାଗନ ପ୍ରେସ୍‌ ସଚିବ ଜନ୍‌ କିର୍‌ବି ଏକ ଖବରଦାତା ସମ୍ମିଳନୀରେ କହିଥିଲେ। କାବୁଲରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଦିନକ ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଥିଲା।

Share