Categories: ଜାତୀୟ

ଜ୍ୟୋତିରାଦିତ୍ୟ ସିନ୍ଧିଆ ଦେଲେ କଂଗ୍ରେସକୁ ବଡ ଝଟ୍‌କା, କଂଗ୍ରେସର ୨୦୦ରୁ ଅଧିକ ନେତା ଭାଜପାରେ ସାମିଲ୍‌

ଚମ୍ବଲ,୨୪।୧: ଲୋକସଭା ନିର୍ବାଚନକୁ ନେଇ ମିଳିତ ମେଣ୍ଟ ଇଣ୍ଡିଆ ଗଠନ କରିଥିବା କଂଗ୍ରେସକୁ ବୁଧବାର ଗୋଟିକ ପରେ ଗୋଟିଏ ଝଟ୍‌କା ମିଳିବାରେ ଲାଗିଛି। ଆସନ ବୁଝାମଣାକୁ ନେଇ ଟିଏମସି, ପଞ୍ଜାବ ଏଏପି ଏକାକୀ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପରେ ଦଳଛାଡିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ କଂଗ୍ରେସକୁ ବଡ ଝଟ୍‌କା ଦେଇଛନ୍ତି। ଚମ୍ବଲ କ୍ଷେତ୍ରରୁ ପ୍ରାୟ ୨୦୦ରୁ ଅଧିକ କଂଗ୍ରେସ ନେତା କଂଗ୍ରେସ ଛାଡି ପଦ୍ମ ଧରିଛନ୍ତି। କଂଗ୍ରେସ ଛାଡି ଭାଜପା ଆସିଥିବା ପୂର୍ବ ବିଧାୟକ ରାକେଶ ସିଂହ ମାବଇଙ୍କ ନେତୃତ୍ୱରେ ୨୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗ ଦେଇଛନ୍ତି। ସିନ୍ଧିଆ ନିଜର ପାଞ୍ଚ ଦିବସୀୟ ଗସ୍ତରେ ଗ୍ବାଲିଅରର ଚମ୍ବଲ କ୍ଷେତ୍ରରେ ଅଛନ୍ତି। ଗସ୍ତ ସମୟରେ ଏହିସବୁ କାର୍ଯ୍ୟକର୍ତ୍ତା ସିନ୍ଧିଆଙ୍କ ଉପସ୍ଥିତିରେ ଭାଜପାରେ ସାମିଲ୍‌ ହୋଇଛନ୍ତି।

କଂଗ୍ରେସର ମୁରେନା ବିଧାନସଭାର ବିଧାୟକ ଥିବା ରାକେଶ ସିଂହ ଦଳ ଉପରେ ଅସନ୍ତୁଷ୍ଟ ଥିଲେ। ଏହା ଆଗକୁ ଯାଇ ବିଧାନସଭା ନିର୍ବାଚନରେ ଟିକେଟ୍‌ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାଜପାରେ ସାମିଲ୍‌ ହୋଇଥିଲେ। କେନ୍ଦ୍ର ମନ୍ଦ୍ରୀ ସିନ୍ଧିଆ ସମକ୍ଷ ଦିଲ୍ଲୀରେ ପହଞ୍ଚି ପଦ୍ମ ଧରିଥିଲେ। କଂଗ୍ରେସକୁ ଏହି ଝଟ୍‌କା ଦେବାର କିଛିଦିନ ନ ଜାଉଣୁ ସିନ୍ଧିଆ ରାକେଶଙ୍କ ମାଧ୍ୟମରେ ୨୨୮ କଂଗ୍ରେସ କର୍ମୀଙ୍କୁ ଭାଜପାରେ ସାମିଲ୍‌ କରିଛନ୍ତି।

Share