୧୬୮ ଛାତ୍ରୀଛାତ୍ରଙ୍କୁ ଜ୍ୟୋତି ଶିକ୍ଷାବୃତ୍ତି

ବାଲେଶ୍ୱର ଅଫିସ,୧୭।୩: ବାଲେଶ୍ୱର ଜିଲା ବାଲିଆପାଳସ୍ଥିତ ବାଲିଆପାଳ କଲେଜ ଅଫ୍‌ ଫିଜିକାଲ୍‌ ଏଜୁକେଶନ ପରିସରରେ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌) ପକ୍ଷରୁ ଦୁଇ ଦିନିଆ ଗୋଷ୍ଠୀ ସମ୍ପର୍କ କାର୍ଯ୍ୟକ୍ରମ ‘ଅସ୍ମିତା’ ଗୁରୁବାର ଆରମ୍ଭ ହୋଇଛି। ଏହି ଅବସରରେ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ପିପିଏଲ୍‌)ର ସିଏସ୍‌ଆର୍‌ ଅଭିଯାନର ଅଂଶ ସ୍ବରୂପ ବାଲିଆପାଳ ଓ ବସ୍ତା ଅଞ୍ଚଳର ୧୬୮ ଜଣ ପ୍ରତିଭାବାନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରୀଛାତ୍ରଙ୍କୁ ଟିଏସ୍‌ଏଫ୍‌ ପକ୍ଷରୁ ଜ୍ୟୋତି ଶିକ୍ଷା ବୃତ୍ତି ପ୍ରଦାନ କରାଯାଇଛି। ବିଭିନ୍ନ ବିଦ୍ୟାଳୟର ୧୧୫ ଜଣ ଛାତ୍ରୀଛାତ୍ରଙ୍କ ସମେତ ଆଖାପାଖ କଲେଜର ୫୩ ଜଣ ଛାତ୍ରୀଛାତ୍ରଙ୍କୁ ପ୍ରାୟ ୮.୫୯ ଲକ୍ଷ ଟଙ୍କାର ଫେଲୋସିପ୍‌ ପ୍ରଦାନ କରାଯାଇଛି। ଛାତ୍ରୀଛାତ୍ରଙ୍କୁ ଚୟନ କରିବା ଲାଗି ହୋଇଥିବା ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୩ ଜଣ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ସ୍ବରୂପ ଟାବ୍‌ଲେଟ୍‌ ପ୍ରଦାନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଆଖପାଖ ସ୍କୁଲର ୨୮ ଜଣ ଛାତ୍ରୀଛାତ୍ରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ପୁରସ୍କାର ବିତରଣ ଉତ୍ସବକୁ ଟିଏସ୍‌ଏଫ୍‌ର ମୁଖ୍ୟ ପ୍ରମୋଦ କୁମାର ପାତ୍ର ପରିଚାଳନା କରିଥିଲେ। ଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଏସ୍‌ପିପିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରକାଶ ସିଂହ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଫେଲୋସିପ୍‌ ପ୍ରଦାନ କରିଥିଲେ। ଫେଲୋସିପ୍‌ରେ ନଗଦ ରାଶି ଭାବେ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରୀଙ୍କୁ ୩ହଜାର ୭୫୦ଟଙ୍କା ଓ ଅଣ ସ୍ନାତକ (ଅଣ୍ଡର ଗ୍ରାଜୁଏଟ୍‌) ପାଇଁ ୮ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପରୀକ୍ଷାରେ ଥରେ ପାସ୍‌ ହେବା ପରେ ନୂଆ ଫେଲୋସିପ୍‌ ପାଇବା ସହ ପରବର୍ତ୍ତୀ ବର୍ଷଗୁଡ଼ିକ ଲାଗି ତାହାର ନବୀକରଣ ପାଇଁ ଛାତ୍ରୀ କିମ୍ବା ଛାତ୍ରଜଣକ ଯୋଗ୍ୟତା ହାସଲ କରିଥାନ୍ତି। ପ୍ରତି ଶିକ୍ଷାବର୍ଷରେ ସ୍କୁଲ/ କଲେଜରେ ହେଉଥିବା ବାର୍ଷିକ ପରୀକ୍ଷାରେ ୪୫% ମାର୍କ ରଖିବାକୁ ମଧ୍ୟ ପଡ଼ିଥାଏ। ଶୁକ୍ରବାର ‘ଅସ୍ମିତା’ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଆଖାପାଖ ଗ୍ରାମର ପ୍ରାୟ ୫୦୦ ଚାଷୀ ଓ ମହିଳାମାନେ ଅଂଶଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି।