Categories: ରାଜ୍ୟ

ଅନ୍‌ଲାଇନ୍‌ ଗେମ୍‌ କାଳ ହେଲା: ତାଗିଦ କରିବାରୁ ନାବାଳକଙ୍କ ଆତ୍ମହତ୍ୟା

ଯୋଡ଼ା ୩।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଅନଲାଇନ ଖେଳ ପାଇଁ ବାପାମା’ ତାଗିଦ୍‌ କରିଥିଲେ। ଏଥିରେ ନାବାଳକ ରାଗିଯାଇ ଶୁକ୍ରବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସମ୍ପୃକ୍ତ ଛାତ୍ର ଜଣଙ୍କ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। କରୋନା ଯୋଗୁ ଅନଲାଇନରେ ପାଠ ପଢା ହେବାରୁ ସମ୍ପୃକ୍ତ ଛାତ୍ରଙ୍କ ବାପା ତାଙ୍କୁ ଏକ ମୋବାଇଲ କିଣିଦେଇଥିଲେ। ଅନଲାଇନରେ ପାଠ ପଢିବା ସହିତ ସେ ମୋବାଇଲରେ ଅନ୍‌ଲାଇନ ଗେମ ମଧ୍ୟ ଖେଳୁଥିଲେ। କିଛିଦିନ ପୂର୍ବରୁ ତାଙ୍କ ବାପାଙ୍କ ଆକାଉଣ୍ଟରୁ ୩୫ହଜାର ଓ ତାଙ୍କ ମା’ଙ୍କ ଆକାଉଣ୍ଟରୁ ୬୧ହଜାର ଟଙ୍କା ଗାଏବ ହେବା ପରେ ତାଙ୍କ ବାପା ବ୍ୟାଙ୍କରେ ପଚରାଉଚରା କରିବା ପରେ ଉକ୍ତ ଟଙ୍କା ଏକ ଅନଲାଇନ ଗେମିଂ ସଂସ୍ଥାର ଆକାଉଣ୍ଟକୁ ଯାଇଥିବା ଜାଣି ତାଙ୍କ ପୁଅକୁ ତାଗିଦ କରିଥିଲେ। ଶୁକ୍ରବାର ସକାଳେ ବାଥ୍‌ରୁମ୍‌କୁ ଯାଇ ଏକ ଶାଢୀରେ ଫାଶି ଲଗାଇ ଉକ୍ତ ଛାତ୍ର ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ା ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।