ବଳାତ୍କାର ମାମଲାରେ ନାବାଳକଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝର,୧୯।୪(ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ମାମଲାରେ ସ୍ଥାନୀୟ ଅତିରିକ୍ତ ଜିଲା ଓ ସ୍ପେଶାଲ ଜଜ୍‌ ଲୋକନାଥ ସାହୁ ୧୭ ବର୍ଷର ନାବାଳକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ଓ ୧୧ ହଜାର ଟଙ୍କା ଜରିମାନା ଆଦେଶ କରିଥିବା ସ୍ପେଶାଲ ପିପି ଗଣେଶ ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ମାର୍ଚ୍ଚ ୧୯ ରାତିରେ କାଞ୍ଜିପାଣି ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଘଟଣା ଦିନ ସନ୍ଧ୍ୟାରେ ବର୍ଷା ହେବାରୁ ରାସ୍ତାରେ ଅଟକି ଯାଇଥିବା ପୀଡିତା ଓ ଅନ୍ୟ ଜଣେ ଝିଅଙ୍କୁ ଲିଫ୍ଟ ଦେବାକୁ କହି ନାବାଳକ ବାଇକ୍‌ରେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ନେଇ ରାତିରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ପାଟି କରିବାରୁ ତାଙ୍କ ସାଙ୍ଗ ଝିଅ ଆସି ନାବାଳକଙ୍କୁ ଠେଲି ଉଭୟ ରାତିରେ ପାଖ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ। ପରେ ପରିବାର ଲୋକ ଆସି ପୀଡ଼ିତାଙ୍କୁ ଉଦ୍ଧାର କରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନାବାଳକଙ୍କ ୨୧ ବର୍ଷ ହେବା ପର୍ଯ୍ୟନ୍ତ ରିମାଣ୍ଡ ହୋମ୍‌ରେ ରହିବେ ଏବଂ ଏହି ଘଟଣାରେ ପୀଡ଼ିତାଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କୁ ଆଦେଶ ହୋଇଛି।